ଜିଜ୍ଞାସା ତରଫରୁ ଆୟୋଜିତ ଭଟ୍ଟନାଗର ସ୍ମାରକୀ ବ୍ୟାଖ୍ୟାନରେ ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର : ସି. ଏସ. ଆଇ. ଆର. – ଆଇ. ଆଇ. ଏମ. ଟି. ର ଜିଜ୍ଞାସା ଟିମ ତରଫରୁ ଆୟୋଜିତ ସାର ଶାନ୍ତି ସ୍ୱରୂପ ଭଟ୍ଟନାଗର ସ୍ମୁତି ବ୍ୟାଖାନରେ ବକ୍ତବ୍ୟ ରଖି ଅନୁଷ୍ଠାନର ମହାନିର୍ଦ୍ଦେଶକ ଓ ଶାନ୍ତି ସ୍ୱରୂପ ଭଟ୍ଟନାଗର ସମ୍ମାନରେ ସମ୍ମାନୀତ ବିଶିଷ୍ଟ ବୈଜ୍ଞାନିକ ଡଃ ଜି. ନରହରି ଶାସ୍ତ୍ରୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଁ ନୁହେଁ ଆମେ – ଆମର ଧ୍ଯେୟ ହେଲେ ଅନୁଷ୍ଠାନ ସଫଳ ହୋଇପାରିବ । ସେ କହିଥିଲେ ଯେ ଡଃ ଭଟ୍ଟନାଗର ଏକାଧାରରେ ଜଣେ ଶିକ୍ଷାବିତ୍, ବୈଜ୍ଞାନିକ ଓ ଅନୁଷ୍ଠାନ ନିର୍ମାତା ଥିଲେ । ସେ ଥିଲେ ସି. ଏସ. ଆଇ. ଆର. ର ପ୍ରାଣପ୍ରତିଷ୍ଠାତା, ପ୍ରଥମ ମହାନିର୍ଦ୍ଦେଶକ । ସେ ଭାରତୀୟ ପ୍ରାଦ୍ଦ୍ୟୋଗିକ ଗବେଷଣାକୁ ନୂଆ ଦିଗ ଓ ଦିଗନ୍ତ ଦେଇଥିଲେ । ଜିଜ୍ଞାସାର ପ୍ରମୁଖ,ସି. ଏସ. ଆଇ. ଆର. ର ପ୍ରଧାନ ବୈଜ୍ଞାନିକ ଡଃ ଦେବୀ ପ୍ରସାଦ ଦାସ କହିଲେ, ଜିଜ୍ଞାସା ବୈଜ୍ଞାନିକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସେତୁ ପରି କାମକରିବାର ଲକ୍ଷ୍ୟ ରଖିଛି । ପିଲାମାନଙ୍କୁ ବୈଜ୍ଞାନିକ ଚିନ୍ତନର ଅଭିମୁଖୀ କରିବା ପାଇଁ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏ ବ୍ୟାଖ୍ୟାନକୁ ଶୁଣିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ସେ ସାଧୁବାଦ ଦେଇଥିଲେ । ଡଃ ଉମାକାନ୍ତ ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ମମତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଡଃ ସନ୍ତୋଷ କୁମାର ବେହେରା, ଡଃ ବିକାଶ କୁମାର ଜେନା, ଡଃ ସୀମନ୍ତିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
