ବାଲେଶ୍ୱର : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ
ବାଲେଶ୍ୱର : ଦେଶୀ ମଦର କାରଖାନା କୁହାଯାଉଥିବା ବାଲେଶ୍ୱର ଜିଲା ପୁରୁଣାବାଲେଶ୍ୱର ଅଞ୍ଚଳରୁ ବିପୁଳ ଦେଶୀ ମଦ ଓ ପୋଚ ଜବତ । ସେହିପରି ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ଆସବାବପତ୍ର ମଧ୍ୟ ଜବତ କରାଯାଇଛି । ଏନେଇ କାହାରିକୁ ଗିରଫ କରାଯାଇ ନଥିବା ବେଳେ ପୃଥକ୍ ପୃଥକ୍ ୩ଟି ମାମଲା ରୁଜୁ କରାଯାଇଛି ।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ, ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥି ଓ ଡେପୁଟି ସୁପରିନଟେଣ୍ଡେଣ୍ଟ ସୁଶାନ୍ତ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏକ ୪୦ଜଣିଆ ଟିମ୍ ରବିବାର ପୁରୁଣାବାଲେଶ୍ୱର ଅଞ୍ଚଳର ତୁଳସୀପଦା, ମହାରଣାସାହି ସମେତ ପ୍ରାୟ ୧୫ଟି ସ୍ଥାନରେ ଚଢ଼ାଉ କରିଥିଲେ । ବ୍ୟବସାୟୀମାନେ ନିଜ ପୋଖରୀ ଓ ବାଡ଼ି ଭିତରେ ଲୁଚାଇ ରଖିଥିବା ଦେଶୀ ମଦ, ପୋଚ ଓ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା । ପୋଖରୀ ଭିତରେ ଲୁଚାଇ ରହିଥିବା ୧୭ହଜାର ଲିଟର ପୋଚ ଓ ୧୨୫୦ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଥାନାକୁ ଅଣାଯାଇଛି । ଏନେଇ ଭ୍ରାମ୍ୟମାଣ ଅବକାରୀ ବିଭାଗ ଅଫିସ୍ ମାମଲା (ନଂ. ୪୩ ।୨୧-୨୨), ସଦର ରେଞ୍ଜ ଅଫିସ୍ ମାମଲା (ନଂ. ୨୨ ।୨୧-୨୨) ଓ ସଦର ଅବକାରୀ ବିଭାଗ ଅଫିସ୍ ମାମଲା (ନଂ. ୨୮ ।୨୧-୨୨) ରୁଜୁ କରାଯାଇଛି । ଚଢ଼ାଉରେ ସଦର ରେଞ୍ଜ ଇନ୍ସପେକ୍ଟର ପ୍ରବୀଣ କୁମାର ପ୍ରଧାନ, ଭ୍ରାମ୍ୟମାଣ ଅବକାରୀ ଆଇଆଇସି ଗାଲୁରାମ ସୋରେନଙ୍କ ସମେତ ଜିଲାର ସମସ୍ତ ସବ୍-ଇନ୍ସପେକ୍ଟର ଓ କର୍ମଚାରୀ ୨୫ଜଣିଆ ଟିମ୍ ସହିତ ପୋଲିସ ଓ ଏପରିଆର ଫୋର୍ସର ୧୫ଜଣିଆ ଟିମ୍ ସାମିଲ୍ ଥିଲେ ।


