ବିପୁଳ ପରିମାଣର ବାଣ ଜବତ, ୬ ଗିରଫ
କଟକ : ଜଗତପୁର ଥାନା ପୋଲିସ ଆଜି ପୂର୍ବାହ୍ନରେ ବାଣ ତିଆରିର ପେଣ୍ଠସ୍ଥଳି ପଦ୍ମପୁର, ତ୍ରିଲୋଚନପୁର ଓ ମୁତରିଫା ଗ୍ରାମରେ ଚଢଉ କରି ବେଆଇନ ଭାବରେ ବାଣ ତିଆରି କରାଯାଉଥିବା ୪ଟି କାରଖାନାରୁ କରି ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିବା ସହ ଏହି କାରବାରରେ ସପୃକ୍ତ ୬ ଜଣଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ଜଗତପୁର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସାଲେପୁର ଥାନା ଅନ୍ତର୍ଗତ ବେଲାଡୋ ଗ୍ରାମର ଅକ୍ଷୟ ବେହେରା(୪୯), ଜଗତପୁର ଥାନା ଅନ୍ତର୍ଗତ ମୁତରିଫାର ସଂଗ୍ରାମ ସାହୁ(୩୯), ପଦ୍ମପୁରର ଫକୀର ନାୟକ(୬୪), ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ତଳସାହିର ଉମାକାନ୍ତ ବେହେରା(୨୬), ତ୍ରିଲୋଚନପୁରର ରବୀନ୍ଦ୍ର ନାୟକ(୫୪) ଓ ତଳବଜାରର କାର୍ତ୍ତିକ ଚନ୍ଦ୍ର ବେହେରା(୪୫) । ଏହି ଅଭିଯୁକ୍ତମାନେ ପଦ୍ମପୁର ଅଂଚଳର ଏହି ତିନୋଟି ଗାଁ ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ବବାଣ ତିଆରି କରୁଥିବାର ଖବର କମିଶନରେଟ ପୋଲିସକୁ ସୂଚନା ମିଳିଥିଲା । ଆଜି ଏସିପି ଜୋନ-୧ର ଅରୁଣ କୁମାର ସ୍ୱାଇଁଙ୍କ ସହିତ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ସଦଳବଳେ ଉପରୋକ୍ତ ଗାଁମଗୁଡିକ ଉପରେ ଚଢଉ କରିଥିଲେ । ପୋଲିସକୁ ଦେଖି ଆହୁରି ଅନେକ ବାଣ ବ୍ୟବସାୟୀ ଓ ବାଣ ତିଆରି କରୁଥିବା ବ୍ୟକ୍ତିବିଶେଷ ଖସି ପଳାଇଯାଇଥିଲେ ହେଁ ପୋଲିସ ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
