କୋହଲିଙ୍କୁ କ୍ଷମା ମାଗିଲେ ହୋଟେଲ୍ କର୍ତ୍ତୃପକ୍ଷ, କର୍ମଚାରୀଙ୍କୁ କଲେ ବିଦା
ପର୍ଥ : ଭାରତୀୟ ଖେଳାଳି ବିରାଟ କୋହଲିଙ୍କୁ କ୍ଷମା ମାଗିଲା ଅଷ୍ଟ୍ରେଲିଆର ପର୍ଥରେ ଥିବା ଗୋଟିଏ ହୋଟେଲ । ବିରାଟ ହୋଟେଲ ରୁମରେ ନଥିବା ବେଳେ ଏହା ଭିତରର ଭିଡିଓକୁ ଉକ୍ତ ହୋଟେଲର ଜଣେ କର୍ମଚାରୀ ଶୁଟିଂ କରିଥିଲେ। ପରେ ସେ ଏହାକୁ ଭାଇରାଲ କରିବାରୁ ବିରାଟ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଭିଡିଓକୁ ନେଇ ସୋଶାଲ ମିଡିଆରେ ବି ଝଡ଼ ଦେଖିବାକୁ ମିଳିଥିଲା। ବିବାଦ ବଢ଼ୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏଥିସହ ବିରାଟଙ୍କ ରୁମର ଭିଡିଓ ରେକର୍ଡିଂ କରିଥିବା କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହାବାଦ କର୍ମଚାରୀ ଜଣଙ୍କ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି। ସେହିପରି ବିରାଟ କୋହଲିଙ୍କ ହୋଟେଲ୍ ରୁମର ଭିଡିଓ ସାମ୍ନାକୁ ଆସିବା ପରେ ଅସନ୍ତୋଷ ପ୍ରକାଶ କରିଛି କ୍ରୀଡା ଜଗତ। ମାମଲାରେ ପର୍ଥର ହୋଟେଲ୍ କ୍ରାଉନ କ୍ଷମା ପ୍ରାର୍ଥନା କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହଟା ଯାଇଥିବା ହୋଟେଲ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଆମେ ଏଥର ଅଧିକ ସତର୍କ ରହିବୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ହୋଟେଲ ପକ୍ଷରୁ କୁହାଯାଇଛି ଯେ ଏମିତି ବ୍ୟବହାର ପ୍ରତି କ୍ରାଉନ ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରି ଆସିଛି। ଏହି ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ ଆମେ ସବୁବେଳେ ଭାରତୀୟ କ୍ରିକେଟ ଟିମ୍ ଓ ଆଇସିସିକୁ ସବୁ ପ୍ରକାରର ସହଯୋଗ କରିବୁ। ଆମ ଅତିଥିଙ୍କ ସୁରକ୍ଷା ଓ ଗୋପନୀୟତା ସବୁବେଳେ ଆମର ମୁଖ୍ୟ ଲକ୍ଷ୍ୟ। ତଥାପି ଏପରି ଏକ ଘଟଣା ଘଟିବା ପ୍ରକୃତରେ ନିନ୍ଦନୀୟ। ଆମେ ଏଥିପାଇଁ ଅତିଥିଙ୍କୁ କ୍ଷମା ମାଗୁଛୁ। ଆଗକୁ ଯେମିତି ଏପରି ଘଟଣା ନ ଘଟିବ, ସେଥିପ୍ରତି ମଧ୍ୟ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛୁ।
ସୂଚନା ଯେ, ପୂରା ଘଟଣା ପର୍ଥରେ ଥିବା କ୍ରାଉନ ରିସର୍ଟରେ ଘଟିଥିଲା। ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ଖେଳୁଥିବା ବିରାଟ କୋହଲିଙ୍କ ସହ ବଡ ଘଟଣା ଘଟିଛି। ତାଙ୍କ ହୋଟେଲ୍ କୋଠରୀରେ କୌଣସି ବ୍ୟକ୍ତି ପ୍ରବେଶ କରି ଭିଡିଓ ପ୍ରସ୍ତୁତ କରି ଲିକ୍ କରି ଦେଇଛନ୍ତି। ଘଟଣାକୁ ନେଇ ବିରାଟ କୋହଲି ଖୁବ୍ କ୍ଷୁବ୍ଧ ହୋଇଛନ୍ତି। ଏମିତି ଘଟଣା ଆଦୌ ଗ୍ରହଣୀୟ ବୋଲି ଅନେକ ପୂର୍ବତନ ଖେଳାଳି କହିଛନ୍ତି। ଘଟଣା ବଢିବା ପରେ ହୋଟେଲ୍ କର୍ତ୍ତୃପକ୍ଷ ସାମ୍ନାକୁ ଆସି କ୍ଷମା ମାଗିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ମାମଲାରେ ସାମିଲ୍ ବ୍ୟକ୍ତିଙ୍କୁ କ୍ରାଉନ୍ ଆକାଉଣ୍ଟରୁ ହଟାଇଛନ୍ତି। ଏହି ଧରଣର ଘଟଣା ଯେମିତି ପୁନର୍ବାର ନଘଟିବ ସେଥିପ୍ରତି ଧ୍ୟାନ ଦେବୁ ବୋଲି ହୋଟେଲ୍ କର୍ତ୍ତୃପକ୍ଷ କହିଛନ୍ତି।
କୋହଲି ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି, ମୁଁ ବୁଝି ପାରୁଛି ପ୍ରଶଂସକ ନିଜର ପ୍ରିୟ ଖେଳାଳିଙ୍କୁ ଦେଖି ଖୁସି ଏବଂ ଉତ୍ସାହିତ ହୋଇ ଯାଆନ୍ତି। ତାଙ୍କୁ ଭେଟିବା ପାଇଁ ଉଦ୍ୟମ କରନ୍ତି। ମୁଁ ଏହାକୁ ସର୍ବଦା ପ୍ରଶଂସା କରିଥାଏ।ମାତ୍ର ରୁମକୁ ପଶି ଭିଡିଓ କରିବା ଭୟାନକ ଘଟଣା। ସିଧାସଳଖ ମୋ ବ୍ୟକ୍ତିଗତ ଜୀବନ ସହ ଖେଳିବା ପରି ସମାନ। ଯଦି ମୁଁ ହୋଟେଲ୍ ରୁମରେ ନିଜର ଗୋପନୀୟତା ରଖି ପାରିବି ନାହିଁ ତେବେ ଅନ୍ୟ ସ୍ଥାନରେ କଣ ଆଶା ରଖିବି। ଦୟାକରି ଲୋକଙ୍କ ଗୋପନୀୟତାର ଧ୍ୟାନ ରଖନ୍ତୁ ଏବଂ ଏହାକୁ ମନୋରଞ୍ଜନର ସାଧନ ଭାବନ୍ତୁ ନାହିଁ।
କ୍ରାଉନ ତୁରନ୍ତ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ତ୍ରୁଟି ସୁଧାରିଛି। ଘଟଣାରେ ସମାଲ ଥିବା ବ୍ୟକ୍ତିଙ୍କୁ କ୍ରାଉନରୁ ବାହାର କରାଯାଇଛି। ଏଥିସହ ମୂଳ ଭିଡିଓକୁ ବେଶ ଯତ୍ନର ସହ ସହ ସୋଶାଲ ମିଡିଆ ଆକାଉଣ୍ଟରୁ ହଟାଇ ଦିଆଯାଇଛି। କ୍ରାଉନ ତୃତୀୟ ପକ୍ଷ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଘଟଣାର ଅଧିକ ତଦନ୍ତ କରୁଛି। ଦରକାର ପଡ଼ିଲେ ଆଗକୁ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରାଯିବ। ଆମେ ଭାରତୀୟ କ୍ରିକେଟ ଟିମ ଓ ଆଇସିସିକୁ କ୍ଷମା ମାଗୁଛୁ। ଆଗକୁ ସେମାନଙ୍କ ସହ କାମ କରିବୁ ବୋଲି ଆମର ଆଶା ବୋଲି ହୋଟେଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଥିଲା। ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା ବେଳେ ଭିଡିଓ ଶୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଥିଲେ। ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ସାମ୍ନାକୁ ଆସିଥିବା ଭିଡିଓର ଉପରେ ‘King Kohli’s Hotel Room’ ଲେଖାଯାଇଛି। ଜଣେ ବ୍ୟକ୍ତି ପୂରା ରୁମ ଭିତରେ ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରିଛନ୍ତି। ବିରାଟ ବ୍ୟବହାର କରୁଥିବା ସ୍ୱାସ୍ଥ୍ୟ ଜନିତ ଜିନିଷ, ବିଭିନ୍ନ ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ ଏବଂ ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପ୍ଗୁଡ଼ିକୁ ଦେଖିବାକୁ ମିଳୁଛି। ବିରାଟ ରୁମରେ ନଥିବା ବେଳେ ଏକାଧିକ କର୍ମଚାରୀ ଏପରି କରିଥିବା କୁହାଯାଉଛି।
