ପବିତ୍ର ଗାନ୍ଧୀ ତିରୋଧାନ ଦିବସ ପାଳିତ
କେନ୍ଦ୍ରାପଡ଼ା : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ଅବକାଶରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଡାକବଙ୍ଗଳା ପରିସରରେ ଗାନ୍ଧୀ ପଦଯାତ୍ରା ସମିତିର ସ୍ଥାୟୀ ସଭାପତି ଗାନ୍ଧୀବାଦୀ ଅବସରପ୍ରାପ୍ତ ଶିକ୍ଷାବିତ ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସାହିତ୍ୟିକ ଡଃ. ବାସୁଦେବ ଦାସ, ଶିକ୍ଷାବିତ ପ୍ରାଧ୍ୟାପକ ଅଜୟ ସାମଲ, ଗୟାଧର ଧଳ, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ଆଲୋକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମୁଖ୍ୟ ସଂଯୋଜକ ରାଜେଶ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ଅମୀୟ ନାୟକ, ଅଲେଖ ସିଂହ, ସୁଦର୍ଶନ ମହାପାତ୍ର ପ୍ରମୁଖ ବହୁ ଗାନ୍ଧୀପ୍ରେମୀ ଯୋଗଦେଇ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଗନ୍ଧୀ ପଦଯାତ୍ରା ୧୯୩୪ମସିହାର ସ୍ମୃତିରକ୍ଷା ପାଇଁ ଗରାପୁର ଡାକବଙ୍ଗଳାରେ ଗାନ୍ଧୀ ସ୍ମୃତିଭବନ ପ୍ରତିଷ୍ଠା ପାଇଁ ୩ବର୍ଷ ହେଲା ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ତିନିମୁହାଣିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ସରକାରୀ ସ୍ଥରରେ ଊଦ୍ୟମ ଚାଲିଛି । ଡାକବଙ୍ଗଳା ପରିସରରେ ଗାନ୍ଧୀ ସ୍ମୃତିଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ସ୍ମୃତିଭବନ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମହାତ୍ମା ଗାନ୍ଧୀ କେନ୍ଦ୍ରାପଡାର ଗରାପୁର ଡାକବଙ୍ଗଳାରେ ଥିଲା ବେଳେ ଯେଉଁ ଚେୟାର, ଟେବୁଲ ବ୍ୟବହାର କରିଥିଲେ ସେସବୁ ଓକିଲ ସୁରେଶ ସେନାପତିଙ୍କ ଘରୁ ଅଣାଯାଇଥିଲା । ତାଙ୍କ ଆବର୍ତ୍ତମାନରେ ସେହିସବୁ ଚେୟାର ଓ ଟେବୁଲ ତାଙ୍କ ଘରୁ ଅଣାଯାଇ ଡାକବଙ୍ଗଳାରେ ରଖିବା ପାଇଁ ତାଙ୍କ ସୁପୁତ୍ର ଆଶିଷ ସେନାପତିଙ୍କୁ ଅନୁରୋଧ କରିବାକୁ ସଭାପତି ଭଜକୃଷ୍ଣ ରାଉତଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା । ନିରଞ୍ଜନ ମେକାପ, କାଶୀନାଥ ରାଉତରାୟ, ନରୋତ୍ତମ ମଲ୍ଲିକ ପ୍ରମୁଖ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସମନ ଅର୍ପଣ କରିଥିଲେ । ଗୋଲକ ସେଠୀ ରାମଧୂନ ପରିବେଷଣ କରିଥିଲେ । ଶେଷରେ ମୁଖ୍ୟ ସଂଯୋଜକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
