ପାଳିଆ ବିରଞ୍ଚି ନାରାୟଣ ପୀଠରେ ଐତିହାସିକ ଗୁଣ୍ଡୁଣି ମେଳା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆର ଶ୍ରୀବିରଞ୍ଚି ନାରାୟଣଙ୍କ ପୀଠରେ ସୋମବାରଠାରୁ ପ୍ରସିଦ୍ଧ ଐତିହାସିକ ଗୁଣ୍ଡୁଣିମେଳା ଆରମ୍ଭ ହୋଇଛି । କଥିତ ଅଛି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇ ଛଉ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ବିରଞ୍ଚି ନାରାୟଣଙ୍କ ଶରଣାପନ୍ନ ହୋଇ ଶାପମୁକ୍ତ ହୋଇଥିଲେ । ଏହି କିମ୍ବଦନ୍ତୀ ଅନୁସାରେ ଲୋକମାନେ ଛଉ ରୋଗରୁ ମୁକ୍ତ ହେବା ପାଇଁ ବିରଞ୍ôଚ ନାରାୟଣଙ୍କ ପାଖରେ ଫୁଲଛତା ମାନସିକ ରଖିଥାନ୍ତି । ଏହି ବିରଂଚିନାରାୟଣ ପୀଠକୁ ଦ୍ୱିତୀୟ ଅର୍କକ୍ଷେତ୍ର ବୋଲି କୁହାଯାଏ । ପାଳିଆରେ ପୂର୍ବରୁ ଏକ ବାଣିଜ୍ୟିକ କେନ୍ଦ୍ର ଥିଲା । ଏହି କେନ୍ଦ୍ରକୁ ଭିତ୍ତିକରି ଶହଶହ ବର୍ଷ ଧରି ଏଠାରେ ଐତିହାସିକ ଗୁଣ୍ଡୁଣି ମେଳା ଅନୁଷ୍ଠିତ ହୋଇ ଆସୁଛି । ଏହି ମେଳାରେ ବ୍ଲକ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ସକାଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିକଟସ୍ଥ କୁଣ୍ଡି ନଦୀରେ ସ୍ନାନକରି ବିରଞ୍ଚି ନାରାୟଣଙ୍କ ଦର୍ଶନ କରିବା ସହ ମାନସିକଧାରୀ ଭକ୍ତମାନେ ଫୁଲଛତା ଅର୍ପଣ କରିଥିଲେ । ଏହି ମେଳା ୫ଦିନ ଧରି ଚାଲିବ । ପୂଜକ ଭାବେ ରବିନାରାୟଣ ପଣ୍ଡା, ଅକ୍ଷୟ ପଣ୍ଡା, ସରୋଜ ପଣ୍ଡା ଓ କମଳାକାନ୍ତ ଦିକ୍ଷୀତ ଶ୍ରୀବିରଞ୍ଜିନାରାୟଣଙ୍କର ପୂଜାର୍ଚ୍ଚନା କରିବା ସହି ଭକ୍ତମାନଙ୍କୁ ପ୍ରଭୁଙ୍କୁ ଦର୍ଶନ କରାଉଛନ୍ତି । ଏହି ମେଳାରେ ବିରଞ୍ଜିନାରାୟଣଙ୍କର ଭୋଗ ଦୋକାନ ସହିତ ବିଭିନ୍ନ ଦୋକାନ ଲାଗିଥାଏ । ମେଳାର ସୁପରିଚାଳନା ପାଇଁ କମିଟି ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କମିଟିର ସଭାପତି ଚକ୍ରଧର ରାଉତ, ସମ୍ପାଦକ ବିଜୟ ପାତ୍ର, ବରିଷ୍ଠ ସଦସ୍ୟ ବସନ୍ତ କୁମାର ନାୟକ ପ୍ରମୁଖଙ୍କ ସହିତ କମିଟିର ସଦସ୍ୟମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ପଦକ୍ଷେପ ନେଉଛନ୍ତି ।
