ରାଜ୍ୟରେ ଆଉ ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
Hot summer or heat wave background, glowing sun on orange sky with thermometer
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହେବ । କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ୩ ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ପାଣିପାଗବିତ୍ ।
ଗୁରୁବାର ଓ ଶୁକ୍ରବାର ସାରା ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଭଳି ପାଗ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି । ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି । ଏହି ସମୟରେ ବାହାରକୁ ବାହାରିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ ରହିବ । ୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ହେଲେ ଏ ସମ୍ପର୍କରେ ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତାକାଲି କିମ୍ବା ପହରଦିନ ସୁଦ୍ଧା ଜଣାପଡ଼ିବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି ।
