ବନ୍ଧୁକ ଧରି ଫିଲ୍ମ ଷ୍ଟାଇଲରେ ଏଟିଏମ ଲୁଟିଲେ, ସିସିଟିଭିରେ ସବୁଦୃଶ୍ୟ କଏଦ
ଜୟପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଗତକାଲି ରାତି ୩ ଟା ୩୦ ରୁ ୩ଟା ୪୫ ମିନିଟ ମଧ୍ୟରେ ଚୋରି ହୋଇଛି । ଏଟିଏମରେ ଗଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ ମାନେ ଏଟିଏମ ରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ପାଡୁଆ ପୋଲିସ ଥାନାଧିକାରୀ ସବ୍ୟସାଚି ଶତପଥି ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ଢିଲା ସମ୍ପର୍କରେ ଚର୍ଚ୍ଚା ଚାଲିଛି । ବ୍ୟାଙ୍କ୍ରରେ ଲଗାଯାଇଥିବା ସିସି ଟିଭିରେ ଦୁର୍ବୃତ୍ତ ମାନେ କିଭଳି ଏକ ଦାମୀ କାରରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମରୁ ଚୋରି କରିବା ସହ ନିଆଁ ଲଗାଇ ପାଡୁଆ ପଟକୁ ଚାଲି ଯାଇଛନ୍ତି ତାହାର ଭିଡିଓ ରେକର୍ଡ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । ସୀମାନ୍ତ ଅଂଚଳରେ ଆଲର୍ଟ ଜାରି ହୋଇଛି । ପୂର୍ବରୁ ବାଲେଶ୍ୱର ନବରଙ୍ଗପୁର ଆଦି ଅଂଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୋଲିସ ସନ୍ଦେହ କରୁଛି । ବର୍ତମାନ ବାଲଡ଼ା ଶାଖାର ସମସ୍ତ ଅନ ଲାଇନ ବ୍ୟାଙ୍କ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
