ଜୟନାରାୟଣଙ୍କୁ ସୁରକ୍ଷା ଦିଅନ୍ତୁ ସରକାର : ପୁରନ୍ଦେଶ୍ୱରୀ
ଭୁବନେଶ୍ୱର : ଓଡ଼ିଶାରେ ଆଇନ ଶୃଙ୍ଖଳାକୁ ନେଇ ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଅବସରରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଜଣେ ମହିଳା ଆଇଆଇସି ଧକ୍କା ଓ ମୁଥ ମାରୁଛନ୍ତି । ଜୟନାରାୟଣ ମିଶ୍ର ସୁରକ୍ଷିତ ନୁହନ୍ତି । ତେଣୁ ସରକାର ତାଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ନିଶ୍ଚିତ ଦେବେ । ସେ ଆହୁରି କହିଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ ହତ୍ୟା କରାଗଲା ତାହା ଭୁଲି ହେବନାହିଁ । ହତ୍ୟାକାଣ୍ଡକୁ ୧୯ଦିନ ହେଲାଣି କିନ୍ତୁ ଏହାର କାରଣ ଜାଣି ହେଲା ନାହିଁ । ରାଜ୍ୟ ସରକାର କିଛି ନା କିଛି ଲୁଚାଉଛନ୍ତି । ଯଦି କିଏ ସ୍ୱର ଉଠାଇଲା ତାକୁ ହତ୍ୟା କରାଯାଉଛି । ଡି ପୁରନ୍ଦେଶ୍ୱରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଉପରେ କି ନ୍ୟାୟ ହେଉଛି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।
