ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ସମସ୍ତ ସାହାଯ୍ୟ ଯୋଗାଇବେ ସରକାର : ଶିକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି । ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ସହାୟତା ଯୋଗାଇ ଦେବେ ଭାରତ ସରକାର ସବୁ । ଏନେଇ ଲୋକସଭାରେ ଉତ୍ତର ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସାଂସଦ ଗୌରବ ଗୋଗଇଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପରେସନ ଗଙ୍ଗା ପ୍ରଶଂସାଯୋଗ୍ୟ। ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ଭାରତ ସରକାର ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବେ। ଏବେ ସେମାନଙ୍କୁ ଚାପରୁ ବାହାର କରିବାର ସମୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନା ଯେ, ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବା ପରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ବହୁ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି। ଅପରେସନ ଗଙ୍ଗା ମାଧ୍ୟମରେ ଭାରତ ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏହି ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ ଅଧାରୁ ଛାଡି ଆସିଥିବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ପରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛି ।
