‘ସରକାର୍ କା ମାଲ୍ ଦରିଆ ମେ ଡାଲ୍’ : ସରକାରୀ ଔଷଧ ବିତରଣ ନକରି ପୋଡ଼ି ଦିଆଗଲା
ବସ୍ତା : ସରକାର୍ କା ମାଲ୍ ଦରିଆ ମେ ଡାଲ୍ । ଏହି ପଂକ୍ତିରେ ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ ନ କରାଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ା ଯାଇଥିବା ଦେଖିବାକୁ ମିଳିଛି । ବସ୍ତା ଡାକ୍ତରଖାନା ନିକଟ ୪୦୦ ମିଟର ଦୂରରେ ରାମଚଣ୍ଡୀ ମନ୍ଦିର ନିକଟ ଏକ ନଡିଆ ଗଛ ପାଖରେ ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ ନ କରାଯାଇ ପୋଡ଼ି ଦିଆଯାଇ ଥିବା ଜଣାଯାଇଛି । ଏହି ଔଷଧ ମଧ୍ୟରେ କିଛି ଓଆର୍ଏସ୍ ପ୍ୟାକେଟ୍, ଥଣ୍ଡା ପାଇଁ ଲିଭୋସେଟ୍ରିଜିନ୍ ସିରପ୍, ଆଣ୍ଟି ବାୟୋଟିକ୍ ଔଷଧ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ଡାକ୍ତଖାନାଗୁଡ଼ିକରେ କିଛି ବୋଲେରୋ ସାହାଯ୍ୟରେ ଡାକ୍ତରଖାନାର କର୍ମଚାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜରିଆରେ ସାଧାରଣ ଜନତାଙ୍କୁ ମାଗଣାରେ ବହୁ ଦୁର୍ମୁଲ୍ୟ ସରକାରୀ ଔଷଧ ବିତରଣ କରାଯାଇଥାଏ । ତେବେ ଏହି ଔଷଧଗୁଡ଼ିକ କିଏ କାହିଁକି ବାହାରେ ଫୋପାଡ଼ି ଦେଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ଡାକ୍ତରଖାନାରେ ଭଡ଼ା ସୁତ୍ରରେ ବିଭିନ୍ନ ଗାଁକୁ ଯାଇ ଔଷଧ ବିତରଣ କରାଯାଇଥାଏ ବୋଲି ଜଣାଯାଇଛି । ଡାକ୍ତରଖାନାର ଭରପ୍ରାପ୍ତ ଅଧିକାରୀ ଦେବବ୍ରତ ଜେନା ବସ୍ତାରେ ନଥିବା ଯୋଗୁଁ ତାଙ୍କର ମତାମତ ମିଳିପାରି ନାହିଁ । କିଛି ଔଷଧ ଏକ୍ସପାୟେରୀ ହୋଇ ଯାଇଥିବା ବେଳେ ଅସହ୍ୟ ଗରମ ସମୟରେ ଜୀବନ ରକ୍ଷାକାରୀ ଭାବେ ଓଆର୍ଏସ୍ ପ୍ୟାକେଟ୍ ଜଳାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।
