କର୍ମଚାରୀଙ୍କ ପାଇଁ ଖୁସି ଖବର, ଅଧିକ ପେନସନ ବିକଳ୍ପ ବାଛିବା ପାଇଁ ସମୟସୀମାରେ ପରିବର୍ତ୍ତନ
ନୂଆଦିଲ୍ଲୀ : ଇପିଏଫଓ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧିକ ପେନସନ ବିକଳ୍ପ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ବିବରଣୀ ଦାଖଲ କରିବା ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି । ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଅଧିକ ପେନସନ ରାଶି ଚୟନ ପାଇଁ ମିଳିତ ଫର୍ମକୁ ବୈଧ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ନିଯୁକ୍ତିଦାତାମାନେ ୩୧ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ଏବଂ ଭତ୍ତାର ବିବରଣୀ ଇପିଏଫଓ ଅଫିସ ତଥା ୱେବସାଇଟରେ ଦାଖଲ କରିପାରିବେ ।
ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନକାରୀ ପେନସନଭୋଗୀ / ସଦସ୍ୟଙ୍କ ଦରମା ବିବରଣୀ ସମ୍ୱନ୍ଧୀୟ ତଥ୍ୟ ଅପଲୋଡ୍ କରିବାର ସମୟସୀମା ବୃଦ୍ଧି କରିବାକୁ ନିଯୁକ୍ତିଦାତା ଏବଂ ନିଯୁକ୍ତିଦାତା ସଂଘ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି । ଦରମା ଏବଂ ଭତ୍ତାର ଯାଞ୍ଚ ପାଇଁ, ୫.୫୨ ଲକ୍ଷ ଆବେଦନ ନିଯୁକ୍ତିଦାତାଙ୍କ ସହିତ ସେପ୍ଟେମ୍ବର ୨୯, ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ରହିଥିଲା। ମନ୍ତ୍ରଣାଳୟ କହିଛି ଯେ, ଏହି ଅନୁରୋଧକୁ ବିଚାର କରାଯାଇଥିଲା । ପରେ ଇପିଏଫଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିଦାତାଙ୍କ ଦରମା ବିବରଣୀ ଇତ୍ୟାଦି ଦାଖଲ କରିବାର ସମୟସୀମା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୧୯୯୬ ରେ, EPS-95 ର ଅନୁଚ୍ଛେଦ ୧୧ (୩) ରେ ଏକ ନୂଆ ବ୍ୟବସ୍ଥା କରାଯାଇଥିଲା । ଏଥିରେ, EPFO ଖାତାଧାରୀମାନଙ୍କୁ ସେମାନଙ୍କର ସପୂର୍ଣ୍ଣ ଦରମା (ବେସିକ୍ + ଅନ୍ୟାନ୍ୟ ଭତ୍ତା) ର ୮.୩୩% ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍ ସେମାନଙ୍କୁ ଅଧିକ ପେନସନ୍ ପାଇବା ପାଇଁ ଇପିଏଫଓ ପକ୍ଷରୁ ସୁଯୋଗ ଦିଆଯାଇଥିଲା । ଅଧିକ ପେନସନ ରାଶି ପାଇଁ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାକୁ ଇପିଏଫ୍ କର୍ମଚାରୀମାନଙ୍କୁ ମାତ୍ର ୬ମାସ ସମୟ ଦେଇଥିଲା । ଅନେକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଏହି ସମୟସୀମା ମଧ୍ୟରେ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାକୁ ସକ୍ଷମ ହୋଇପାରିନଥିଲେ । ତେଣୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଉକ୍ତ କର୍ମଚାରୀମାନଙ୍କୁ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନଭେମ୍ବର ୨୦୨୨ ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ :
ନଭେମ୍ବର ୪,୨୦୨୨ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ, ଅଧିକ ପେନ୍ସନ୍ର ବିକଳ୍ପ ବାଛିବା ପାଇଁ ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ପଡ଼ିବ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩, ୨୦୨୩ରେ ସମାପ୍ତ ହୋଇଥିଲା ।
