ଚାଲିଗଲା ବାତ୍ୟା ‘ଜୱାଦ’ : ପାଣିରେ ଭାସୁଛି ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ
ଭୁବନେଶ୍ୱର : ସମୁଦ୍ର ଭିତରେ ବାତ୍ୟା ଛୁଇଁଲାନି ସ୍ଥଳଭାଗ, ଫସଲ ଉଜାଡ଼ିଲା ଲଗାଣ ବର୍ଷା ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା। ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ଭିତରେ ହିଁ ତୀବ୍ର ଅବପାତ ଓ ପରେ କେବଳ ଅବପାତ ଅର୍ଥାତ ସାଧାରଣ ଡିପ୍ରେସନରେ ପରିଣତ ହୋଇଛି। ତେବେ ଏହି ବାତ୍ୟା ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା, ଯାହାର ସଠିକ୍ ପୂର୍ବାନୁମାନ ସମ୍ଭବ ହୋଇ ପାରି ନ ଥିଲା। ପାଣିପାଗ ବିଜ୍ଞାନୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ତେବେ ଉପକୂଳ ଇଲାକାରେ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି।
ରବିବାର ପୁରୀରେ ବାତ୍ୟାର ଯେଉଁ ଭୟ ଥିଲା, ସେଠାରେ ଲୋକେ ଅପରାହ୍ଣରେ ବାହାରକୁ ବାହାରି ବାତ୍ୟା ପାଗର ମଜା ନେଇଥିଲେ। ରବିବାର ମଧ୍ୟାହ୍ନରେ ପୁରୀ ଅଞ୍ଚଳରେ ବାତ୍ୟା ଜୱାଦ ମାଡ଼ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ଅପରାହ୍ନରେ ପୁରୀ ସମୁଦ୍ର କୂଳର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା। ଲୋକେ ସମୁଦ୍ର କୂଳର ମଜା ନେଇଥିଲେ। କାରଣ ବାତ୍ୟା ଭୟ ସମ୍ପୂର୍ଣ୍ଣ ଦୂର ହୋଇ ଯାଇଥିଲା। ତେବେ ସକାଳୁ ପାଗ ଏମିତି ହୋଇଥିଲା, ଯାହା ପୂର୍ବ ବାତ୍ୟାକୁ ମନେ ପକାଇ ଦେଉଥିଲା। ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଥିଲା। ପବନର ବେଗ କମ ଥିଲା। ୪୫ରୁ ୫୫ କିଲୋମିଟର ବେଗରେ ପବନ ହେଉଥିବା ବେଳେ କେବେ କେବେ ୬୫ କିଲୋମିଟରର ଝଟକା ଦେଉଥିଲା। ତୀବ୍ର ଅବପାତରେ ପରିଣତ ହୋଇ ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା। ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା। ସାଢ଼େ ୨ଟା ବେଳକୁ ଡିପ୍ରେସନ ବା ଅବପାତର ରୂପ ନେଇ ଉତ୍ତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିଲା ଜୱାଦ।
ସ୍ଥଳଭାଗ ନ ଛୁଇଁ ଚାଲିଗଲା ବାତ୍ୟା। ଫସଲ ଉଜାଡ଼ିଦେଲା ଲଗାଣ ବର୍ଷା। ଗତ ୨୪ ଘଣ୍ଟାରେ ପାରାଦୀପରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅବପାତର ରୂପ ନେଇ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇଛି ଜୱାଦ। ସୋମବାର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରୁ ୱେଲ୍ ମାର୍କ ଲୋ ପ୍ରେସର ବା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
