ଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଶିକ୍ଷକ ଦୁଃଶାସନ ମହାକୁଡ଼ଙ୍କ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ମୁଖ୍ୟବକ୍ତା ଭାବେ ସରପଞ୍ଚ କ୍ଷୀରାବ୍ଧୀ ତନୟା ମଲିକ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ କୈଳାସ ଚନ୍ଦ୍ର ମାଝୀ, ଗୋବିନ୍ଦପୁର କ୍ଲଷ୍ଟର ସିଆରସିସି ରାମପ୍ରସାଦ ବାରିକ, ତିଆଡ଼ିସାହି କ୍ଲଷ୍ଟର ସିଆରସିସି ସରୋଜ ଓଝା, ମୋ ସ୍କୁଲ ଅଭିଯାନ ସଭାପତି ବୈଲୋଚନ ପାତ୍ର, ସ୍କୁଲ ପରିଚାଳନା କମିଟି ସାପତି ନରହରି ମହାରଣା ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମାଝୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଅଶୋକ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କମଳାକାନ୍ତ ମାଝୀ, ସୂର୍ଯ୍ୟମଣି ସାମଲ, କୈଳାସ ଚନ୍ଦ୍ର ସାହୁ ଓ ଶ୍ୟାମସୁନ୍ଦର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ସ୍କୁଲର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସ୍କୁଲର ଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
