କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଉପହାର! ୧୮ ମାସ ଧରି ଅଟକି ଥିବା ଡିଏ ବକେୟା ଉପରେ ଆସିଲା ବଡ଼ ଖବର
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଜୁଲାଇ ୧ରୁ ଲାଗୁ ହୋଇସାରିଛି । ଏହାର ଅର୍ଥ ହେଉଛି ଯେ ମୋଦି ସରକାର କେନ୍ଦ୍ର କର୍ମଚାରୀମାନଙ୍କୁ ୪ ମାସର ମହଙ୍ଗା ଭତ୍ତା ବକେୟା ମଧ୍ୟ ପ୍ରଦାନ କରିବେ । ତେବେ, ୧୮ ମାସ ଧରି ବିଚାରାଧୀନ ଥିବା ମହଙ୍ଗା ଭତ୍ତା ବକେୟାର ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ପୂର୍ବରୁ ଡିସେମ୍ବର ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବକେୟା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।
ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାର ୩୧ ପ୍ରତିଶତ ଡିଏ ବ୍ୟତୀତ କେନ୍ଦ୍ର କର୍ମଚାରୀଙ୍କୁ ଅନେକ ବଡ଼ ସୁବିଧା ଦେଇଛନ୍ତି । ତେବେ, ଡିଏ ବକେୟା ମାମଲା ୧୮ ମାସ ଧରି ବିଚାରାଧୀନ ଅଛି । ନ୍ୟାସନାଲ କାଉନସିଲ୍ ଅଫ୍ ଜ୍ୱାଏଣ୍ଟ କନସଲଟାଣ୍ଟ ମେସିନାରୀ (ଜେସିଏମ) ର ସଚିବ (ଷ୍ଟାଫ୍ ସାଇଡ୍) ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ, ପରିଷଦ ସରକାରଙ୍କ ସମ୍ମୁଖରେ ଏକ ଦାବି କରିଛନ୍ତି ଯେ ଡିଏକୁ ପୁନଃ ଲାଗୁ କରିବା ସମୟରେ ୧୮ ମାସ ପାଇଁ ବିଚାରାଧୀନ ଥିବା ଡିଏ ବକେୟା ମଧ୍ୟ ଏକାଥରେ ସମାଧାନ ହେବା ଉଚିତ୍ । ଆଶା କରାଯାଉଛି ଯେ ଡିସେମ୍ବର ମାସରେ କ୍ୟାବିନେଟ ସଚିବଙ୍କ ସହ ଡିଏ ବକେୟା ମାମଲା ଆଲୋଚନା ହୋଇପାରେ ।
ଉଲ୍ଲେଖଯୋଗ୍ୟ ଯେ ଅର୍ଥ ମନ୍ତ୍ରଣାଳୟ, ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଏବଂ ବ୍ୟୟ ବିଭାଗର ଅଧିକାରୀଙ୍କ ସହ ଜେସିଏମର ଏକ ବୈଠକ ହେବ । ଏଥିରେ, ଡିଏ ଏରିୟର ଏକାସାଙ୍ଗରେ ପେମେଣ୍ଟର ଚର୍ଚ୍ଚା ହେବାର ସମ୍ଭାବନା ଅଛି । ତେବେ କିଛି ସମୟ ପୂର୍ବରୁ ପେନସନଭୋଗୀମାନେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଦାବି କରିଥିଲେ । ତା’ପରେ ସରକାର ଏହାକୁ ବିଚାର କରିବାକୁ ଆଶ୍ୱାସନା ଦେଇଥିଲେ । ନ୍ୟାସନାଲ କାଉନସିଲ୍ ଅଫ୍ ଜ୍ୱଏଣ୍ଟ କନସଲଟାଣ୍ଟ ମେସିନାରୀର ସଚିବ ଶିବ ଗୋପାଳ ମିଶ୍ରାଙ୍କ କହିବାନୁସାରେ, ଲେଭଲ୍-୧ କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭ ହଜାର ଟଙ୍କା ମଧ୍ୟରେ ରହିବ । ଅନ୍ୟ ପଟେ, ଲେଭଲ୍-୧୩ କର୍ମଚାରୀମାନେ ୧ ଲକ୍ଷ ୪୪ ହଜାର ୨୦୦ରୁ ୨ ଲକ୍ଷ ୧୮ ହଜାର ୨୦୦ ଟଙ୍କା ଡିଏ ବକେୟା ପାଇବେ । ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ମହଙ୍ଗା ଭତ୍ତା (ଡିଏ) ପୁନଃ ଲାଗୁ କରାଯାଉଛି ।
