ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ବାଲିଆ ସ୍ଥିତ ଭାଜପା କାର୍ଯ୍ୟାଳୟରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଛି । ଉମାକାନ୍ତ ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଶକ୍ତି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।
ସଂଘର ସାଧାରଣ ସମ୍ପାଦକ ଡ. ଅନ୍ତର୍ଯ୍ୟାମୀ ମହାପାତ୍ର ଦୀର୍ଘଦିନ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ନହେଲେ ଶକ୍ତି କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହିତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଟିପିଏନ୍ଓଡ଼ିଏଲ୍ କର୍ତ୍ତୃପକ୍ଷଙ୍କ ଠାରେ ଦାବି ଉପସ୍ଥାପନ କରାଯିବ ବୋଲି କହିଥିଲେ । ଟିପିଏନ୍ଓଡ଼ିଏଲ୍ ତରଫରୁ କେବଳ ଅପରେଶନ ଟ୍ରେନିଂ ପଦବୀ ପାଇଁ ଆଇଟିଆଇ ଯୋଗ୍ୟତା ଥିବା ଅସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ମାତ୍ର ଅନ୍ୟ କର୍ମଚାରୀମାନଙ୍କ ପାଇଁ କୌଣସି ପ୍ରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ନଥିବାରୁ ସଂଘ ତରଫରୁ ସମସ୍ତ କର୍ମଚାରୀମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଖୁବ୍ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ଟିପିଏନ୍ଓଡିଏଲ୍ ତରଫରୁ ପ୍ରତିଶ୍ରୁତି ମିଳିଛି ବୋଲି ବୈଠକରେ ପ୍ରକାଶ କରିଥିଲେ । ସଂଘର ସ୍ଥାୟୀ ସଭାପତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ସମସ୍ତଙ୍କ ଉଦ୍ୟମରେ ଆଗାମୀ ଦିନରେ କର୍ମଚାରୀମାନଙ୍କର ସବୁ ପ୍ରକାର ସମସ୍ୟାର ସମାଧାନ କରାଯିବ । ସଂଘର ମୁଖ୍ୟ ଉପଦେଷ୍ଟା ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ପ୍ରଚେଷ୍ଟା ଫଳରେ ସଂଘକୁ ଅନେକ ପ୍ରକାର ସଫଳତା ମିଳିପାରିଛି ଓ ଆଗାମୀ ଦିନ ପାଇଁ ତାଙ୍କର ସହଯୋଗ କାମନା କରିବା ସହିତ ମୋର ମଧ୍ୟ ସହଯୋଗ ସଦାସର୍ବଦା ସଂଘ ସହିତ ରହିବ ବୋଲି ପ୍ରକାଶ କରିଥିଲେ । ଶୁଭେନ୍ଦୁ ସୂର୍ଯ୍ୟନାରାୟଣ ବେହେରା, ଶିବ ନାରାୟଣ ଗିରି, ପ୍ରଦୀପ ଜେନା, ସୁକାନ୍ତ ପାଢ଼ୀ, ସଂଯୁକ୍ତା ରାଣୀ ହୋତା, ପ୍ରଣବ ମହାପାତ୍ର, କମଳ ଲୋଚନ ସାହୁ, ବଳଭଦ୍ର ଗିରି, ନିଗମାନନ୍ଦ ଗିରି, ଶୋଭନା ଆଚାର୍ଯ୍ୟ, ବିଷ୍ଣୁପଦ ମିଶ୍ର, ସୁଦର୍ଶନ କର, ଦୀପକ ମହାପାତ୍ର, ସୁଶାନ୍ତ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ପ୍ରଦୀପ ମହାନ୍ତି, ଶ୍ରୀକାନ୍ତ ଦାସ, ଲମ୍ବୋଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
