ହରିଦ୍ୱାରରେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକାଙ୍କ ଅସ୍ଥି ବିସର୍ଜନ
ନୂଆଦିଲ୍ଲୀ : ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ଉତ୍ତରାଖଣ୍ଡର ହରିଦ୍ୱାରରେ ବିସର୍ଜନ କରାଯାଇଛି। ୨ ଝିଅ କ୍ରିତିକା ଓ ତାରିଣୀ ହରିଦ୍ୱାରର ଭିଆଇପି ଘାଟର ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି। କ୍ରିତିକା ଓ ତାରିଣୀ ହରିଦ୍ୱାର ପହଂଚିବା ପୂର୍ବରୁ ଦିଲ୍ଲୀର ବ୍ରାର ସ୍କୋୟାର ଶ୍ମଶାନ ଘାଟ ପହଞ୍ଚି ପିତାମାତାଙ୍କ ଅସ୍ଥି ଏକତ୍ରିତ କରିଥିଲେ। ଘାଟରେ ସକାଳୁ ହିଁ କିଛି ସେନା କର୍ମୀ ପହଂଚିଥିଲେ। ଏହାସହ ସେନାର ବ୍ୟାଣ୍ଡ ମଧ୍ୟ ଉପସ୍ଥିତ ରହିଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ, ବିଧାନସଭା ଅଧ୍ୟକ୍ଷ ପ୍ରେମଚନ୍ଦ ଅଗ୍ରୱାଲ, ବିଜେପି ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ଓ ହରିଦ୍ୱାର ମେୟର ଅନିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ଘାଟରେ ବଡ଼ ସଂଖ୍ୟାରେ ଲୋକ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଂଚିଥିଲେ। କିନ୍ତୁ ସେମାନଙ୍କୁ ବାହାରେ ହିଁ ରୋକି ଦିଆଯାଇଥିଲା।
ସୂଚନାଯୋଗ୍ୟ, ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ଅକ୍ଟୋବର ୧୦ରେ ପଞ୍ଚଭୂତରେ ବିଲୀନ ହୋଇଥିଲେ। କ୍ରିତିକା ଓ ତାରିଣୀ ପିତାମାତାଙ୍କର ଅନ୍ତିମ ସଂସ୍କାର କରିଥିଲେ।
