ଦୁର୍ନୀତି ପ୍ରତିବାଦରେ ବ୍ଲକ୍ ଅଫିସ ଘେରାଉ କଲା ଗରିବ ସେନା
ଟିଟିଲାଗଡ : ଟିଟିଲାଗଡ ବ୍ଲକ୍ରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଗରିବ ସେନା ପକ୍ଷରୁ ଆଜି ବ୍ଲକ୍ ଘେରାଉ କରାଯିବା ସହ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଗରିବ ସେନା ପକ୍ଷରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏହି ବ୍ଲକ୍ ଘେରାଉ କାର୍ଯ୍ୟକ୍ରମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଆଜି ଦିବା ୧୦ ଘଣ୍ଟା ସମୟରେ ବ୍ଲକ୍ ଅନ୍ତର୍ଗତ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।
ବ୍ଲକ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ହେଉଥିବା ଦୁର୍ନୀତିକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଗରିବ ସେନା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ଝାସକେତନ୍ ଛତର, ଦିନେଶ ତାଣ୍ଡି, ଯୁବରାଜ ମାଝୀ, ନିରୁପମା ସରାଫ, ଅଲେଖ ଜେନା, କାହ୍ନୁ ବେହେରା ପ୍ରମୁଖଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।
