ଶାସକ ବିରୋଧୀ ସମନ୍ବୟର ଅଭାବ ଯୋଗୁଁ ବାଟବଣା ହେଉଛି ସହରର ବିକାଶ
ଟିଟିଲାଗଡ଼ : ଟିଟିଲାଗଡ଼ ପୌରପରିଷଦରେ ଶାସକ ଏବଂ ବିରୋଧୀ ମଧ୍ୟରେ ଲାଗି ରହିଥିବା ବିବାଦ ଏବେବି ତୁଟି ନାହିଁ। ଯାହାର ଆଉ ଏକ ବଳିଷ୍ଠ ପ୍ରମାଣ ଆଜି ଦେଖିବାକୁ ମିଳିଛି। ଆଜି ଟିଟିଲାଗଡ଼ ସହରର ୧୫ଟି ୱାର୍ଡର ବିଭିନ୍ନ ସମସ୍ୟା ନେଇ ଅଧ୍ୟକ୍ଷା ମମତା ଦେବି ଜୈନ ଉପାଧ୍ୟକ୍ଷା ସମେତ ୧୪ଟି ୱାର୍ଡର ୱାର୍ଡ ମେମ୍ବର ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ। ବୈଠକରେ ସହରର ପରିମଳ ବ୍ୟବସ୍ଥାଠୁ ନେଇ ବିଭିନ୍ନ ଛକ ମାନଙ୍କରେ ସିସି ଟିଭି ଲଗାଇବା, ପୌରପରିଷଦର ନୃତନ କୋଠା ନିର୍ମାଣ କରିବା, ମହାରାଜ ସାଗର ଆଲୋକୀକରଣ କରିବା ସହ ଅନେକ ସମସ୍ୟାର ଏକ ଚିଠା ପ୍ରସ୍ତୁତ କରି ବୈଠକରେ ଉପସ୍ଥାପନ କରୁଥିବା ବେଳେ ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ ଅଧ୍ୟକ୍ଷା ମମତା ଦେବି ଜୈନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଅଧ୍ୟକ୍ଷା ମମତା ଦେବି ଜୈନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ସହରର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ହେଲେ ବିଜେଡି ଦଳର ୱାର୍ଡ ମେମ୍ବର ମାନେ ସହଯୋଗ କରିବା ତ ଦୂରର କଥା ଓଲଟା ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବାହାର କରିବା ସହ ସଭାକକ୍ଷରୁ ଚାଲିଯିବା ପାଇଁ ମଧ୍ୟ କହିଥିବା ମମତା ଦେବି ଜୈନ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପୌରପରିଷଦର ପ୍ରଥମ ବୈଠକରେ ଶାସକ ଏବଂ ବିରୋଧୀ ବିଜେପି ୱାର୍ଡ ମେମ୍ବରଙ୍କ ମଧ୍ୟରେ ତୁ ତୁ ମେ’ ମେ’ ହୋଇ କଥା ମନ୍ତ୍ରୀ ଟୁକୁନି ସାହୁ ଏବଂ ଅଧ୍ୟକ୍ଷା ମମତା ଦେବି ଜୈନଙ୍କ ମଧ୍ୟରେ ଯୁକ୍ତି ତର୍କ, ତୁ ତୁ ମେ’ ମେ’ ହେବା ଘଟଣା ସମଗ୍ର ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ସାଜିଥିଲା।
ପୌରପରିଷଦ ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପୌରପରିଷଦ ଅଧ୍ୟକ୍ଷା ଦାବି କରି ଆସୁଥିବା ବେଳେ ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ଶାସକ ଦଳ ରୋକ ଲଗାଇଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ମମତା ଦେବି ଜୈନ। ପୂର୍ବରୁ ଶାସକ ଦଳର ୱାର୍ଡ ମେମ୍ବର ଏବଂ ଉପାଧ୍ୟକ୍ଷା ଯୋଜନା ମୁତାବକ ବୈଠକକୁ ଭଣ୍ଡୁର କରିବା ତଥା ସହରର ଉନ୍ନୟନ କାମରେ ବାଧା ଦେଇ ଅଧ୍ୟକ୍ଷାଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରି ଆସିଥିବା ନେଇ ବିଜେପି କାଉନସିଲର ମାନେ ଅଭିଯୋଗ ଉଠାଉଥିବା ବେଳେ ଏହି ଘଟଣାକୁ ନେଇ ସହରରେ ପୁଣି ଥରେ ଶାସକ ବିରୋଧୀର ଛକା ପଞ୍ଝା ଯୋଗୁଁ ସହରର ଉନ୍ନୟନ କାର୍ଯ୍ୟ ବଳି ପଡୁଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।
