ବନ୍ଧୁତ୍ୱ ପୁର୍ଣ୍ଣ ହକି ମ୍ୟାଚ, ଦକ୍ଷିଣ କୋରିଆକୁ ହରାଇଲା ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ
ରାଉରକେଲା : ୨୦୨୩ ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ଦେଶର ବୃହତମ ହକି ଷ୍ଟାଡ଼ୟିମ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଠାଡ଼ିୟମରେ ଗତ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲର ହକି ଟିମ ଓ ଦକ୍ଷିଣ କୋରିଆ ଜୁନିଅର ହକି ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ ମ୍ୟାଚ ଖେଳ ଯାଇଥିଲା । ଦକ୍ଷିଣ କୋରିଆ ଜୁନିଅର ହକି ଟିମକୁ ପରାସ୍ତ କରି ଦେଖାଇଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ ।
୨-୧ ଗୋଲରେ ଦକ୍ଷିଣ କୋରିଆ ଜୁନିଅର ହକି ଟିମ ଠାରୁ ହେଲା ବିଜୟ । ଏହି ମ୍ୟାଚ ହକି ବିଶ୍ୱକପ୍ରେ ଭାରତୀୟ ଟିମ ପାଇଁ ବେଶ ଗୁରୁତ୍ୱ ରଖିଥିଲା । ବିଜୟ ପରେ ବେଶ ଖୁସି ହକି ପ୍ରଶିକ୍ଷଣ ନେଉଥିବା ହକି ଖେଳାଳି । ଏହି ଅଭ୍ୟାସ ମ୍ୟାଚ ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ମୁକେଶ ଭାମୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନା ଯେ, ୨୦୨୩ ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହା ଆୟୋଜନ କରାଯିବ। ଜାନୁଆରି ୧୩ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
