ନବରାତ୍ରୀର ଚତୁର୍ଥ ଦିନ : ଆଜି ମା’ଙ୍କ କୁଷ୍ମାଣ୍ଡା ରୂପ, ଏହି ସ୍ବରୂପରେ ପୂଜିଲେ ଭଲ ହୋଇଥାଏ ଅସାଧ୍ୟ ରୋଗ
ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ ମା’ ଶ୍ରୀ ଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବୀ କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ସେ କୁଷ୍ମାଣ୍ଡାଙ୍କ ନାମରେ ନାମିତ । ମା’ କୁଷ୍ମାଣ୍ଡା ତେଜ ଓ ପ୍ରତାପର ସ୍ଵରୂପ ଅଟନ୍ତି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଓ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବୀ କୁଷ୍ମାଣ୍ଡା।
ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ। ମା’ କୁଷ୍ମାଣ୍ଡାଙ୍କ ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । ପୌରାଣିକ ମତ ଅନୁଯାୟୀ, ଦେବୀଙ୍କ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। କୁହାଯାଏ ସୃଷ୍ଟିର ଅସ୍ତିତ୍ଵ ନଥିବା ସମୟରେ ମା’ କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନା କରିଥିଲେ। ସେଥିପାଇଁ ଦେବୀଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି ବୋଲି କୁହାଯାଏ। ମା’ଙ୍କୁ ‘ଅଷ୍ଟଭୂଜା’ ବୋଲି କୁହାଯାଏ । ତାଙ୍କ ୭ଟି ହାତରେ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଓ ନିଧି ଦେଉଥିବା ଜପ ମାଳା ରହିଥାଏ। ବିଶ୍ବାସ ରହିଛି ଯେ, ଦେବୀଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।
ନବରାତ୍ରୀର ଚତୁର୍ଥ ଦିନ ପୂଜା ପାଇଁ ସ୍ଥାପିତ କଳସ ପୂଜା ପରେ ଉକ୍ତ କଳସରେ ମା’ କୁଷ୍ମାଣ୍ଡାଙ୍କୁ ଆବାହନ କରାଯାଇଥାଏ । ପୂଜାରେ ବସିବା ପୂର୍ବରୁ ସବୁଜ ରଙ୍ଗର ଆସନ ବ୍ୟବହାର କରାଯାଏ। ମା’ କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣ କରି ଧ୍ୟାନ କରାଯାଏ । ଏହାପରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ସଂପୂର୍ଣ୍ଣ ପରେ ନିଜର ସାଦ୍ଧ ମତେ ଦେବୀଙ୍କୁ ଭକ୍ତିର ସହିତ ଫଳ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରାଯାଏ । ପୂଜା ପରେ ମାତା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରିବାର ବିଧି ରହିଛି। ଏହାପରେ ଉକ୍ତ ପ୍ରସାଦକୁ ବ୍ରାହ୍ମଣ ଓ ଭକ୍ତଙ୍କୁ ବାଣ୍ଟା ଯାଇଥାଏ ।
