ବନ୍ଧୁକ ମୁନରେ ଚାରି ଲକ୍ଷ ଲୁଟ୍
କନ୍ଧମାଳ : ବନ୍ଧୁକ ମୁନରେ ଟଙ୍କା ଲୂଟ । ଚାରି ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ବାଇକରେ ଯିବା ବେଳେ ବାଟରେ ଦୁର୍ବୁତ୍ତମାନେ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକା ଦେବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ତଳେ ପଡି ଯାଇଥିଲେ । ଫଳରେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଦୁର୍ବୁତ୍ତମାନେ । ଏଭଳି ଅଭାବନୀୟ ଘଟଣା ଘଟିଛି ତୁମୁଡିବନ୍ଧ ଥାନା ଅଞ୍ଚଳରେ । ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ବି ଲୁଟେରାଙ୍କ ଟେର ପାଇନି ପୋଲିସ । ତେବେ ଏହି ଲୁଟ ଘଟଣାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କୌଣସି ହାତ ନାହିଁ ତ ବୋଲି ଲୋକେ ଆଲୋଚନା କରୁଛନ୍ତି ।
ତେବେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୂଟେଜକୁ ଯାଞ୍ଚ କରି ତଦନ୍ତକୁ ଆଗକୁ ବଢ଼ାଉଛି ପୋଲିସ । ଏହି ଘଟଣା ପରେ ବ୍ୟବସାୟୀ ମାନେ ଭୟଭିତ ହୋଇ ପଡିଛନ୍ତି । ଏଥି ପୂର୍ବରୁ ମଧ୍ୟ ତୁମୁଡ଼ିବନ୍ଧ ଅଞ୍ଚଳରେ ବାଇକ ଡ଼ିକି ଭାଙ୍ଗି ଲୁଟ ହୋଇଥିଲେ ବି ପୋଲିସ ଲୁଟେରାକୁ ଏ ଯାଏଁ ଧରି ପାରିନଥିବା କୁହାଯାଉଛି ।
