ପରଲୋକରେ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ
ଭୁବନେଶ୍ୱର : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଯାଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରେ ଆଖି ବୁଝିଛନ୍ତି ପୂର୍ବତନ ବିଧାୟକ। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
କଂଗ୍ରେସ ଟିକେଟରେ ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ା ବିଧାନସଭା ଆସନରୁ ତିନି ତିନି ଥର ନିର୍ବାଚିତ ହୋଇଥିଲେ। ୧୯୮୦, ୧୯୮୫ ଓ ୧୯୯୫ରେ ନିର୍ବାଚନରେ ଜିତି ସେ ବିଧାୟକ ହୋଇଥିଲେ। ୧୯୮୦ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୫-୯୦ ପର୍ଯ୍ୟନ୍ତ ୨ୟ ଥର, ଆଉ ୧୯୯୫-୨୦୦୦ ପର୍ଯ୍ୟନ୍ତ ୩ୟ ଥର ଲାଗି ବିଧାୟକ ହୋଇଥିଲେ ।
କଂଗ୍ରେସରେ ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା ଥିଲେ ବିରେନ୍ଦ୍ର । ଲୋକଙ୍କ ଦୁଃଖସୁଖରେ ଛିଡ଼ା ହୋଇଥାନ୍ତି । ତେବେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଯାହାଫଳରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଉଥିଲା । ହେଲେ ଏବେ ଏହି ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଛି । ବିରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
