ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଆସନ୍ତା ନଭେମ୍ବର ୨ ତାରିଖରୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ଗୋଲାପି ସହର ଜୟପୁର (ରାଜସ୍ଥାନ)କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସୂଚନା ଯେ, ଗତ ସେପ୍ଟେମ୍ବର ୧୭ ତାରଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ । ଏ ନେଇ ଉକ୍ତ ପତ୍ରର ପ୍ରତ୍ୟୁତ୍ତରରେ ଶ୍ରୀ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ ବିମାନ ସଂସ୍ଥା ‘ଇଣ୍ଡିଗୋ’ ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ୍ କରିବାରେ ସହାୟକ ହେବ ବୋଲି ଶ୍ରୀ ସିନ୍ଧିଆ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
