ପ୍ରଥମ ଟେଷ୍ଟ : ଭାରତର ସ୍ଥିତି ମଜବୁତ୍, ଫଲୋଅନ୍ ଏଡାଇବାକୁ ସଂଘର୍ଷରତ ବାଂଲାଦେଶ
ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪ ରନ୍ର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ଆଠ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା। ଟିମ ଇଣ୍ଡିଆର ୧୭୧ ରନ ଅଗ୍ରଣୀ ରହିଛି ଏବଂ ବାଂଲାଦେଶ ହାତରେ ଦୁଇଟି ଉଇକେଟ ବାକି ଅଛି।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିବା ପରେ ଟିମ୍ ଇଣ୍ଡିଆ ବୋଲିଂରେ ମଧ୍ୟ କମାଲ୍ କରିଛି । ପ୍ରଥମ ଇନିଂସରେ ଭାରତ ୪୦୪ ରନ୍ ସ୍କୋର କରିଛି । ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ବାଲାଂଦେଶ ଗୁରୁବାର ଷ୍ଟମ୍ପ ଅପସାରଣ ବେଳକୁ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରିଛି। ବାଂଲାଦେଶ ଫଲୋଅନ୍ ବିପଦରେ ଅଛି। ଫଲୋଅନ୍ ଏଡାଇବା ପାଇଁ ବାଂଲାଦେଶକୁ ଆହୁରି ୭୨ ରନ୍ ଆବଶ୍ୟକ ରହିଛି ।
ଭାରତ ପକ୍ଷରୁ ବାମହାତୀ ସ୍ପିନର କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩ଟି ଏବଂ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି। ବାଂଲାଦେଶ ତରଫରୁ ମୁଶଫିକୁର ରହୀମ ସର୍ବାଧିକ ୨୮ ରନ୍ କରିଥିବା ବେଳେ ଲିଟନ୍ ଦାସ ୨୪ ଏବଂ ଜାକିର ହାସନ ୨୦ ରନ୍ କରିଛନ୍ତି। ନୁରୁଲ ହାସନ ଏବଂ ମେହେଦୀ ହସନ ମିରାଜ ୧୬-୧୬ ରନ୍ ସ୍କୋର କରିଥିଲେ ।
ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ ସ୍କୋର୍ ୨୭୮/୬ରୁ ଆଗକୁ ଖେଳି ୪୦୪ ରନରେ ଅଲ୍ଆଉଟ୍ ହୋଇଥିଲା । ଦିନର ପ୍ରଥମ ସେସନ ଭାରତ ସପକ୍ଷରେ ଯାଇଥିଲା। ଏହି ସେସନରେ ଭାରତ ୭୦ ରନ୍ ଯୋଡିଥିଲା। ପ୍ରକାଶ ଥାଉକି, ଶ୍ରେୟସ୍ ଆୟର୍ ୮୨ ରନର ବ୍ୟକ୍ତିଗତ ସ୍କୋରରେ ଇବାଦତ ହୁସେନଙ୍କ ଶିକାର ହେବାପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିଥିଲା । ଶ୍ରେୟାସଙ୍କ ଓ୍ବିକେଟ୍ ହରାଇବା ପରେ ଅଶ୍ୱିନ-କୁଲଦୀପ ଭାରତୀୟ ଇନିଂସ ସମ୍ଭାଳିଥିଲେ । ଦ୍ୱିତୀୟ ସେସନରେ ମଧ୍ୟ ଭାରତର ଦବଦବା ରହିଥିଲା । ଏହି ସେସନରେ ୯୩ ରନ୍ ହୋଇଥିବା ବେଳେ ୫ଟି ଓ୍ବିକେଟ୍ ପଡ଼ିଥିଲା । ଏଥି ମଧ୍ୟରୁ ଭାରତ ୫୬ ରନ୍ କରିଥିବା ବେଳେ ଶେଷ ୩ଟି ଓ୍ବିକେଟ୍ ହରାଇଥିଲା । ଏହା ପରେ ଭାରତୀୟ ବୋଲରମାନେ ବାଂଲାଦେଶର ଦୁଇଟି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ୍ କରି ଟିମ୍ ଇଣ୍ଡିଆକୁ ମଜବୁତ ସ୍ଥିତିକୁ ଆଣିଥିଲେ। ଏହି ସେସନରେ ବାଂଲାଦେଶ ନାଜମୁଲ ହାସନ ଶାନ୍ତୋ ଏବଂ ୟାସିର ଅଲିଙ୍କ ୱିକେଟ୍ ହରାଇ ୩୭ ରନ୍ ସଂଗ୍ରହ କରିଥିଲା । ଶେଷ ସେସନରେ ଭାରତୀୟ ବୋଲର ମାନଙ୍କ ପ୍ରାଧାନ୍ୟ ଦେଖିବାକୁ ଉଚ୍ଚ ମିଳିଥିଲା । ଏହି ସେସନରେ ୯୬ ରନ୍ ହୋଇଥିବା ବେଳେ ୬ଟି ୱିକେଟର ପତନ ହୋଇଥିଲା। ଏହି ସେସନରେ ସିରାଜ ୨ଟି ୱିକେଟ୍ ଓ କୁଲଦୀପ ୪ଟି ୱିକେଟ୍ ନେଇଥିଲେ।
