ବାଲେଶ୍ୱର ଜିଲା କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରାଜୀବ ଭବନ ସମ୍ମିଳନୀ କକ୍ଷରେ ରବିବାର ଜିଲା କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିଯୁକ୍ତ ଜିଲା କଂଗ୍ରେସ କମିଟିର କର୍ମକର୍ତ୍ତା, ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ସମେତ ଜିଲାର ସମସ୍ତ ବ୍ଲକ ଓ ନଗର କଂଗ୍ରେସ ସଭାପତି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ସହିତ ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ଦିବଙ୍ଗତ ନେତା ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଥିଲା ।
ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତା କରି ଆଗାମୀ ସେପ୍ଟେମ୍ବର ୧୫ ସୁଦ୍ଧା ସମସ୍ତ ପଞ୍ଚାୟତ କମିଟି ଓ ବୁଥ କମିଟି ଗଠନ ସହିତ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳର ସଂଗଠନ ମଜବୁତ କରିବା ଓ କଂଗ୍ରେସ ଭବନର ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଇଥିଲେ । ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ସର୍ବଦା ଚେଷ୍ଟିତ ବୋଲି କହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ସଂସଦୀୟ ନେତ୍ରୀ ମଧୁମିତା ପଣ୍ଡା ମଧ୍ୟ କଂଗ୍ରେସ କର୍ମୀମାନଙ୍କୁ ଜାଗ୍ରତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସୁରେନ୍ଦ୍ର ପାରମାଣିକଙ୍କ ସମେତ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ଭୋଗରାଇ ନେତା ସତ୍ୟଶିବ ଦାସ, ବସ୍ତା କଂଗ୍ରେସ ନେତା ବିଜନ ନାୟକ, ସଦର ନେତ୍ରୀ ମମତା କୁଣ୍ଡୁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଲିଗାଲ ସେଲ ସଭାପତି ସତ୍ୟସୁନ୍ଦର ଦାସ, କୃଷକ ସେଲ ସଭାପତି ନିରଞ୍ଜନ ବେହେରା, ଅଣସଂଗଠିତ ଶ୍ରମିକ କଂଗ୍ରେସ ସଭାପତି ବିକାଶ ଦାସ, ଶ୍ରମିକ କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଦେଇଥିଲେ ।


