ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପରିବାରର ଆତ୍ମାହୁତି ଚେତାବନୀ
ବାଲେଶ୍ୱର : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ମାସେ ପୂରିବାକୁ ବସିଲାଣି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ନେଇ ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସୌମ୍ୟଙ୍କ ପରିବାର ଲୋକେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ନ୍ୟାୟ ଦାବିରେ ସୌମ୍ୟଙ୍କ ବାପା ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଜଙ୍ଗଲ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ସହିତ ବନଖଣ୍ଡ ଅଧିକାରୀଙ୍କୁ ନିଲମ୍ବନ କଲେ ସବୁ ତଥ୍ୟ ମିଳିପାରିବ। ମନ୍ତ୍ରୀ ଓ ବନଖଣ୍ଡ ଅଧିକାରୀଙ୍କ ଭୟରେ ତଳିଆ କର୍ମଚାରୀ ତଥ୍ୟ ପ୍ରକାଶ କରିପାରୁ ନାହାନ୍ତି ବୋଲି ବାପା ଅଭିରାମ ମହାପାତ୍ର ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତର ଚାର୍ଜସିଟ ଦେବା ପରେ ଆମେ ନ୍ୟାୟ ପାଇବା ପାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ସୌମ୍ୟ ସମସ୍ତଙ୍କର ପୁଅ, ତାକୁ ନ୍ୟାୟ ଦେବା ପାଇଁ ସମସ୍ତେ ବାହାରନ୍ତୁ ବୋଲି ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ସୌମ୍ୟଙ୍କ ସମ୍ପର୍କୀୟ ଭାଇ ପ୍ରିୟବ୍ରତ ପଣ୍ଡା ତଦନ୍ତ ନାଁରେ ବିଳମ୍ବ କରାଯାଇଛି। ବିଦ୍ୟାଭାରତୀ ଓ ଅନ୍ୟମାନଙ୍କ ଉପରେ ନରହତ୍ୟା ଦଫା ଲାଗିଥିବା ବେଳେ ପୁଲିସ ତାଙ୍କୁ ହେପାଜତରେ ନେଇ ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି।
ସୂଚନା ଯେ, ଜୁଲାଇ ମାସ ୧୩ ତାରିଖରେ ପୋଡ଼ି ଯାଇ ମୃତ୍ୟୁ ଘଟିଥିବା ସୌମ୍ୟଙ୍କର ଆଜକୁ ୨୬ ଦିନ ପରେ ପୁଲିସ ଆଜି ପର୍ଯ୍ୟନ୍ତ ୨୫ରୁ ଅଧିକଙ୍କଠାରୁ ବୟାନ ରେକର୍ଡ କରିଥିବାବେଳେ ୬ ଜଣଙ୍କୁ ଜେରା କରିଛି। ବିଦ୍ୟାଭାରତୀଙ୍କୁ ୧୨ଟି ପ୍ରଶ୍ନ ପଚାରିଥିଲାବେଳେ ମୃତ୍ୟୁ ପରେ ଦୁଇ ଜଣଙ୍କର ଚିଠି, ଅଡିଓକୁ ନେଇ ଏବେ ବି ପୁଲିସ ତନାଘନା ଚଳାଇଛି। ସୌମ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ ତଥ୍ୟରେ ଶତକଡା ୯୫ ଭାଗ ପୋଡ଼ିଯିବା ଓ ଖାଲି ପେଟରେ ରହିବା ଘଟଣାକୁ ରହସ୍ୟମୟ କରିଛି।
