ସିଏମସି ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର
କଟକ : କଟକ ମହାନଗର ନିଗମ(ସିଏମସି) ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୪୨ ନମ୍ବର ୱାର୍ଡ ଅନ୍ତର୍ଗତ ଚାଉଳିଆଗଞ୍ଜ କ୍ଲବ ଘରେ ଏକ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ୪୨, ୪୩, ୪୬ ଓ ୪୭ ନମ୍ବର ୱାର୍ଡର ୧୧ଟି ବସ୍ତିବାସିନ୍ଦା ସଂଘ ଓ ମହିଳା ଗୋଷ୍ଠୀରୁ ବହୁ ସଂଖ୍ୟକ ସଦସ୍ୟ ଓ ସଦସ୍ୟ ଯୋଗଦେଇଥିଲେ । ୪୨ ନଂ ୱାର୍ଡର ଗୋଷ୍ଠୀ ସଂଗଠିକା ମାହେଶ୍ୱରୀ ମହାପାତ୍ର ଏହି ପ୍ରଶିକ୍ଷଣକୁ ଶୁଭାରମ୍ଭ କରିଥିଲେ । ସିଏମସି ଅଗ୍ନି ନିରାପତ୍ତା ପ୍ରକଳ୍ପ ସଂଯୋଜକ ଶ୍ରୀନିବାସ ପଣ୍ଡା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିବା ସହ ଶିବିର ପରିଚାଳନା କରିଥିଲେ । ଅଗ୍ନିଶମ ଅଧିକାରୀ ସଂଜୀବ ବେହେରାଙ୍କ ସମେତ କର୍ମଚାରୀମାନେ ଅଗ୍ନି ନିରାପତ୍ତା ଉପରେ ଉପସ୍ଥିତ ମହିଳାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏସଜି ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ପ୍ରଦୀପ ମହାନ୍ତି ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
