ବରଯାତ୍ରୀଙ୍କ ବାଣରୁ ଅଗ୍ନିକାଣ୍ଡ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ଗ୍ରାମର ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବାବେଳେ ବାଣ ଫୁଟା ଯାଇଥିଲା । ଏହି ବାଣ ନିଆଁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କର ଛ’ଣ ଗଦା ଓ ଏକ ତାଳଗଛରେ ନିଆଁ ଲାଗି ଯାଇଥିଲା । ଖବର ପାଇ ତିହିଡ଼ି ଦମକଳ କେନ୍ଦ୍ରର ଅଧିକାରୀ ଆଲୋକଦେବ ଗୋସ୍ୱାମୀଙ୍କ ନେତୃତ୍ୱରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ଦୀର୍ଘ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଯଦି ଆୟତ୍ତ କରାଯାଇ ନଥାନ୍ତା ତେବେ ଅଗ୍ନିକାଣ୍ଡରେ ଆହୁରି ଧନ ଜୀବନ ହାନି ହେବାର ଆଶଙ୍କା ରହିଥିଲା । ତେବେ ବରଯାତ୍ରୀଦଳ ବାଣ ଫୁଟାଇବା ବେଳେ ଅନ୍ୟ କାହାରି କ୍ଷତି ନହେବା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଥିବା ବେଳେ ନିଆଁ ପ୍ରତି ସଚେତନ ରହିବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସେହିପରି ସୟା ପଞ୍ଚାୟତ ଅଧୀନ ବୀରବରପୁର ଗ୍ରାମରେ ଖଦଗଦାରୁ ନିଆଁ ଉଠି ଦୁର୍ଯ୍ୟୋଧନ ମଳିକଙ୍କର ଦୁଇଟି ଛ’ଣଗଦା ଜଳି ଯାଇଛି । ଖବର ପାଇ ସେଠାରେ ଦମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିନଥିଲେ ଅଗ୍ନିକାଣ୍ଡରେ ଆହୁରି ଅଧିକ କ୍ଷତି ହୋଇଥାନ୍ତା ବୋଲି କୁହାଯାଇଛି । ତେବେ ଗ୍ରୀଷ୍ମ ଦିନ ଆସୁଥିବାରୁ ବାହାରେ ନିଆଁ ପକାଇଲା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଦମକଳ କେନ୍ଦ୍ର ଅଧିକାରୀ ଆଲୋକ ଦେବ ଗୋସ୍ୱାମୀ ଅନୁରୋଧ କରିଛନ୍ତି ।
