ଏମକେସିଜି ବିଲ୍ଡିଂରେ ଲାଗିଲା ନିଆଁ, ସମସ୍ତ ରୋଗୀ ସୁରକ୍ଷିତ
ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ସୁପର ସ୍ପେଶାଲିଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ବିଲ୍ଡିଂରେ ଥିବା ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ଓଟିରେ ନିଆଁ ଲାଗିଥିବା ସୂଚନା ମିଳିଛି । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ରୂପେ ନିଆଁ ଲିଭା ଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ଏଥିସହିତ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ହେଲେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି ।
କିଛି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଉଛି। ଠିକ ସମୟରେ ଅଗ୍ନିଶମ ବିଭାଗ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସୁପର ସ୍ପେଶାଲିଷ୍ଟ ବିଲଡିଂରୁ ପ୍ରଥମେ ଧୂଆଁ ବାହାରିବା ଦେଖି ସୁରକ୍ଷାକର୍ମୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏମକେସିଜିର ଅଧୀକ୍ଷକ ଅଗ୍ନିଶମ ବାହିନୀକୁ ସୂଚନା ଦେବାପରେ ସେମାନେ ପହଞ୍ଚି ନିଆଁକୁ କାବୁ କରିଥିଲେ । ଚାରିଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।
