ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଦୁଇଦିନିଆ ଜିଲା ଗସ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ପ୍ରଦର୍ଶନ ଓ ସମୀକ୍ଷା ବହୁମୁଖି ଚାଷୀ ତ୍ରିଲୋଚନ ଓ ତାଙ୍କ ପରିବାରକୁ କଲେ ପ୍ରଶଂସା
ବାରିପଦା : ମୟୁରଭଞ୍ଜ ଜିଲା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଦୁଇଦିନିଆ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବା ସହିତ ସମୀକ୍ଷା କରିଥିବାର ଜଣାଯାଇଛି । ଏହି ଅବସର ରେ ବଡ଼ସାହି ବ୍ଲକ ଗସ୍ତ କରି ଜଳ ବିଭାଜିକା ବିଭାଗ ପକ୍ଷରୁ ବଡସାହି ବ୍ଲକ ବୀରେଶ୍ୱରପୁର ପଞ୍ଚାୟତ କୁଲଡିହା ଗ୍ରାମରେ ଥିବା ଚାଷୀ ତ୍ରିଲୋଚନ ବେହେରାଙ୍କ ଜମିରେ ଖୋଳା ଯାଇଥିବା ଫାର୍ମ ପଣ୍ଡକୁ ସଚିବ ଶ୍ରୀ ଦେବ ପରିଦର୍ଶନ କରିଥିଲେ । ଉକ୍ତ ଫାର୍ମ ପଣ୍ଡରେ ତ୍ରିଲୋଚନ ମଧୁର ଜଳରେ ଇଲିସି ମାଛ ଚାଷ, ଦେଶୀ ମାଛ ଚାଷ ଓ ବତକ ଚାଷ କରିଥିବା ସହିତ ଫାର୍ମ ପଣ୍ଡ ଆଡିରେ ଅମୃତଭଣ୍ଡା ଓ କଦଳୀଚାଷ କରିଛନ୍ତି । ଗୋଟିଏ ଫାର୍ମ ପଣ୍ଡରୁ ଜଣେ ଚାଷୀ କିଭଳି ଭାବେ ବହୁମୁଖିଚାଷ ଦ୍ୱାରା ରୋଜଗାରକ୍ଷମ ସହିତ ସ୍ୱାବଲମ୍ବୀ ହୋଇପାରିଛି ସେନେଇ ସଚିବ ଶ୍ରୀ ଦେବ ତ୍ରିଲୋଚନ ଓ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ସଚିବଙ୍କ ଏହି ଗସ୍ତ ଅବସରରେ ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲାପାଳ ସାଧାରଣ ରୁଦ୍ରନାରାୟଣ ମହାନ୍ତି, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରାକର, ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଜିଲା କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ମତ୍ସ୍ୟ ସମ୍ପଦ ଅଧିକାରୀ ସୁବ୍ରତ କୁମାର ଦାସ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ରମାକାନ୍ତ ଗିରି, ଜଳ ବିଭାଜିକାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମନସ୍ୱିନୀ ସାହୁ, ବଡସାହି ବିଡିଓ ଆକାଶ କୁମାର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବେଣୁଧର ସାହୁ, ଏପିଇଓ ସଦାଶିବ ସାହୁ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଉକ୍ତ ଚାଷ ପ୍ରଣାଳୀକୁ ଅନୁଧ୍ୟାନ କରି ସଚିବ ଶ୍ରୀ ଦେବ ଖୁସି ବ୍ୟକ୍ତ କରିବା ସହିତ ଚାଷୀ ତ୍ରିଲୋଚନ ଓ ତାଙ୍କ ପରିବାରକୁ ପ୍ରଶଂସା କରିଥିବାର ଜଣାଯାଇଛି
