ଆଜି ଲୋକସଭାରେ ଜମ୍ମୁ ଓ କଶ୍ମୀର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ ଓ କଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ସାଧାରଣ ବଜେଟ୍ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବା ଲାଗି ଗୃହରେ ଆଲୋଚନା ଏବଂ ଭୋଟିଙ୍ଗ୍ ହେବ।
ସୂଚନା ଯେ, ଜମ୍ମୁ ଓ କଶ୍ମୀରର ବଜେଟ୍ କପିଗୁଡ଼ିକୁ ସଂସଦକୁ ଅଣାଯାଇ ସାରିଲାଣି। ଏବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ‘ବିଜ୍ନେସ୍ ଆଡ୍ଭାଇଜରି କମିଟି’ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହାପରେ ବଜେଟ୍ ଅଧିବେଶନର ଦ୍ବିତୀୟ ଭାଗ ଆରମ୍ଭ ହେବ। ଲୋକସଭାରେ ବିଚାର ଏବଂ ଅନୁମୋଦନ ପାଇଁ ସରକାର ‘ଦି କନ୍ଷ୍ଟିଚ୍ୟୁସନ୍’ (ଅନୁସୂଚିତ ଜନଜାତି) ‘ଅର୍ଡର’ (ସଂଶୋଧନ) ଚିଠାକୁ ମଧ୍ୟ ତାଲିକାଭୁକ୍ତ କରିଛନ୍ତି। ଏଥିରେ ତ୍ରିପୁରାର କିଛି ସମ୍ପ୍ରଦାୟଙ୍କୁ ସାମିଲ କରାଯିବ। ବଜେଟ୍ ଅଧିବେଶନର ଦ୍ବିତୀୟ ଭାଗରେ ଯୋଗ ଦେବା ପାଇଁ ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ତାର ଆବ୍ବାସ୍ ନକୱି, ଜିତେନ୍ଦ୍ର ସିଂହ, ଅର୍ଜୁନ ରାମ ମେଘୱାଲ୍ ଏବଂ ଅନ୍ୟାନ୍ୟ ଦଳର ସାଂସଦମାନେ ଆସି ସଂସଦରେ ପହଞ୍ଚି ଗଲେଣି। ସେହିପରି ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଲୋକସଭା ଏବଂ ରାଜ୍ୟସଭାରେ ୟୁକ୍ରେନ୍ ସଙ୍କଟ ସଙ୍କ୍ରାନ୍ତରେ ବିବୃତି ପ୍ରଦାନ କରିବେ।
