ନାଗାବଳୀ ନଦୀରେ ଭାସିଯାଇ ବାପା ଓ ପୁଅ ନିଖୋଜ
ରାୟଗଡା : ପୁଣି ଝୁଲାପୋଲର ଆକର୍ଷିତ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପଡିଛି ମହଙ୍ଗା । ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବାପା ଓ ପୁଅର ନିଖୋଜ ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ଉପକଣ୍ଠରେ ଥିବା ଝୁଲାପୋଲ ତଳେ ପ୍ରବାହିତ ନାଗାବଳୀ ନଦୀରେ । ତେବେ ଉଭୟଙ୍କ କୈାଣସି ସନ୍ଧାନ ମିଳି ନ ଥିବାରୁ ଦୁହେଁ ଜୀବିତ ନାଁ ମୃତ ତାହା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନିଖୋଜ ଦୁଇ ଜଣ ପଡୋଶୀ ଗଜପତି ଜିଲ୍ଳାର ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଦୁର୍ଗମପେଟା ଗ୍ରାମର ନୂଆ କାମ୍ପସାହିରେ ରହୁଥିବା କେ.ଶ୍ରୀନିବାସ (୪୫) ଓ ତାଙ୍କ ବଡ ପୁଅ କେ.ଜିତେନ୍ଦ୍ର (୨୦)ବୋଲି ଜଣାପଡିଛି । ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ କେନ୍ଦ୍ରର ଏଏଫଓ ସଂଗ୍ରାମ ହାଁସଦାଙ୍କ ସମେତ ଆଗ୍ନିକ ବାହିନୀ ଏବଂ ରାୟଗଡା ଉପଖଣ୍ଡ ପୋଲିସ ଅଧିକାରୀ ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଥାନା ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ଷ୍ଟାଫ୍ ପଂହଚି ନଦୀରେ ଭାସିଯାଇଥିବା ଶ୍ରୀନୁ ଓ ଜିତେନ୍ଦ୍ରଙ୍କୁ ଖୋଜାଖୋଜି କରିଥିବା ବେଳେ ସଂଧ୍ୟା ହୋଇଥିବାରୁ ଅନ୍ଧାରରେ ଆଉ ଖୋଜିବା ସମ୍ଭବପର ନ ହେବାରୁ ଆସନ୍ତାକାଲି ଭୋରରୁ ଖୋଜିବା ଆରମ୍ଭ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ସୂଚନା ପ୍ରଦାନ କରିଛନ୍ତି ।
ଏ ନେଇ ମିଳିଥିବା ସୂଚନା ପ୍ରକାରେ ଦୁର୍ଗମପେଟା ଅଂଚଳର କେ.ଶ୍ରୀନିବାସ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପରିବାର ସହ ମୋଟ ୧୬ଜଣ ସଦସ୍ୟ ଦୁଇଟି ଚାରିଚକିଆ ଗାଡିରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ଦର୍ଶନ କରିବାକୁ ଆଜି ଆସିଥିଲେ । ମାଁଙ୍କ ଦର୍ଶନ ସାରି ଅପରାହ୍ନ ସାଢେ ୩ଟା ବେଳେ ରାୟଗଡା ଉପକଣ୍ଠ ଝୁଲାପୋଲକୁ ବୁଲିବାକୁ ଯାଇଥିଲେ । ଝୁଲାପୋଲରେ ବୁଲିବା ପରେ ସମସ୍ତେ ତଳେ ପ୍ରବାହିତ ନାଗାବଳୀ ନଦୀ ବାଲି ପଠାକୁ ଯାଇ ଥିବା ବେଳେ ନଦୀରେ ଗୋଡ ଧୋଇବାକୁ ଯାଇଥିବା କେ.ଶ୍ରୀନିବାସ ହଠାତ୍ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀ ତଟର ପଥର ଡେଇଁ ଡେଇଁ ଯିବା ସମୟରେ ଭାସିଯାଉଥିବା ଶ୍ରୀନିବାସଙ୍କ ବଡ ପୁଅ ଜିତେନ୍ଦ୍ର ଓ ଅନ୍ୟ ସଂପର୍କୀୟ ଜଣେ ମଧ୍ୟ ନଦୀ ଗର୍ଭରେ ପଡିଯାଇଥିଲେ । ତେବେ ନଦୀରେ ଭାସିଯାଉଥିବା ସଂପର୍କୀୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ବାପା ଶ୍ରୀନୁ ଓ ପୁଅ ଜିତେନ୍ଦ୍ର ନିଖୋଜ ହୋଇଯାଇଥିଲେ । ଘଟଣା ସଂର୍ପକରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ପ୍ରକାଶ ଥାଉ କି,ଚଳିତ ମାସ ଗତ ଅକ୍ଟୋବର ୩ତାରିଖରେ ମଧ୍ୟ ଜଣେ ଫେରିବାଲା ନଦୀରେ ଭାସିଯାଇ ମୃତ୍ୟୁବରଣ କରିଥିଲେ । ରାୟଗଡା ସହରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦର୍ଶନ ପାଇଁ ପଡୋଶୀ ଜିଲ୍ଳା ସମେତ ଆନ୍ଧ୍ର, ଛତିଶଗଡ, ଝାରଖଣ୍ଡ ଆଦି ରାଜ୍ୟ ବାହାରରୁ ଅନେକ ପର୍ଯ୍ୟଟକ ତଥା ଭକ୍ତମାନେ ଆସିଥାନ୍ତି । ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ଦର୍ଶନୀୟ ସ୍ଥାନ ବିଷୟରେ ଜାଣିବା ପରେ ସମସ୍ତେ ଏଠାକୁ ମଧ୍ୟ କିଛି ସମୟ ଅତିବାହିତ କରିବା ପାଇଁ ଆସିଥାନ୍ତି । ଅନେକ ପର୍ଯ୍ୟଟକ ନାଗାବଳୀ ନଦୀରେ ସେଲଫି ଓ ଗାଧୋଇବା ତଥା ନଦୀ ଗର୍ଭକୁ ଯାଇ ଅସାବଧନତା ଯୋଗୁଁ ଅକାଳରେ ନିଜର ଜୀବନ ହାରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲର ଦୁଇ ପାଶ୍ୱର୍ରେ ବିପଦ ସତର୍କ ସୂଚନା ଲଗାଯାଇଥିବା ବେଳେ ପର୍ଯ୍ୟଟକମାନେ ଏହାକୁ ଅଣଦେଖା କରୁଥିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି । ଅପରପକ୍ଷେ ସ୍ଥାନୀୟ ଲୋକେ ଝୁଲାପୋଲକୁ ଆସୁଥିବା ଲୋକଙ୍କ ପାଇଁ ଆହୁରି ସତର୍କତା ଅବଲମ୍ବନ ପାଇଁ ନଦୀ ତଳକୁ ଯିବା ପାଇଁ ଥିବା ରାସ୍ତାକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ଦାବି କରୁଥିଲେ ସୁଦ୍ଧା ଏ ଦିଗରେ ନା ଜିଲ୍ଳା ନା ପୋଲିସ ପ୍ରଶାସନ କେହି ହେଲେ କର୍ଣ୍ଣପାତ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ସୂଚନା ପ୍ରକାରେ ଗତ ୩ ବର୍ଷ ମଧ୍ୟରେ ନାଗାବଳୀ ନଦୀରେ ଭାସିଯାଇ ୧୩ରୁ ଉର୍ଦ୍ଧ ଲୋକଙ୍କ ଅକାଳ ବିୟୋଗ ହୋଇଥିବା ଜଣାପଡିଛି ।
