କେନାଲରେ ପାଣି ଯୋଗାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ରାଣୀଗୁଡା ଚାଷୀ
ଜୟପୁର : ଜୟପୁର ବାରିଣିପୁଟ ଉପର କୋଲାବ ପ୍ରକଳ୍ପର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଦ୍ୱାରସ୍ଥ ହେଲେ ଚାଷୀ । କୁନ୍ଦୁରା ବ୍ଲକ ରାଣୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଡି ଠାକୁରାଣି ପାଣି ପଞ୍ଚାୟତର ସଭାପତି ଧନ ପତି ପୁଜାରି, ସମ୍ପାଦକ ରାଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଚାଷୀ ମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ କୋଲାବ ପ୍ରକଳ୍ପର କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ବିଗତ ଦିନ ମାନଙ୍କରେ ଉକ୍ତ ଗ୍ରାମ ମାନଙ୍କରେ କେନାଲ ପାଣି ଦ୍ୱାରା ଉଭୟ ଖରିଫ ଓ ରବି ଋତୁରେ ବିଭିନ୍ନ ଚାଷ ହୋଇ ପାରୁଥିଲା । କିଛି ବର୍ଷ ହେବ ଜଳ ସେଚନ ବିଭାଗର ଜଳ ପରିଚାଳନା ଗତ ତ୍ରୁଟି ଯୋଗୁଁ ଖରା ଦିନେ କେନାଲ ପାଣିରୁ ବଞ୍ଚିତ ହୋଇଥିବା ସହ ଜମି ପଡିଆ ପଡୁଛି । କୃଷିଜିବୀ ଓ ଶ୍ରମିକ ମାନେ କାମ ନପାଇ ଦାଦନ ଶ୍ରମିକ ଖଟି ଯିବାକୁ ବାଧ୍ୟ ହୋଉଛନ୍ତି । ଏପରିକି ପାଣି ନପାଇ ମଧ୍ୟ ଚାଷୀ ଜଳକର ରାଜସ୍ୱ ବିଭାଗକୁ ଦେବାକୁ ବାଧ୍ୟ ହେଉଛନ୍ତି । ଜଳ ସେଚନ ବିଭାଗ ଦ୍ୱାରା ଆଉଟ ଲେଟ ଗୁଡିକର ମରାମତି, ଆୟକଟ ଅଞ୍ଚଳ ଅନୁଯାୟୀ ଜଳ ଛଡା ଯିବା ସହିତ ଖରା ଦିନେ କେନାଲର ବଳକା ପାଣି ପଟରା ନଦୀ, କାଳିଆ ଗାଁ ନାଳ, ସତି ନଦୀରେ ଜଳ ଭଣ୍ଡାରର ପାଣି ତଥା କୋଲାବ ନଦୀକୁ ଯେଉଁ ପାଣି ଛଡାଯାଉଛି ତାହା ସାବେରୀ ନଦୀ ଦେଇ ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ମିଶୁଛି । ତାହାକୁ ରୋକା ଯାଇ ଉପର କୋଲାବ କେନାଲରେ ଚାଷୀଙ୍କୁ ଯୋଗାଇ ଦିଆଗଲେ ବହୁ ଚାଷୀ ଉପକୃତ ହେବେ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ଜିଲା ପ୍ରଶାସନ ଓ ଉପର କୋଲାବ ବିଭାଗ ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ କରି ରବି ଋତୁରେ କୋଲାବ କେନାଲ ଦ୍ୱାରା ପାଣି ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଏହି ଅବସରରେ ସୁଉନିଗୁଡା, ରାଣୀଗୁଡା, ଶିରାଗୁଡା, କଲଗ ଭଟ୍ଟା, ଟେମେରାଗୁଡା, ରାଲା ଗୁଡା, ଭାଲୁଗୁଡାଆଦି ଗ୍ରାମର ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।
