ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଂଶତମ କ୍ରୀଡ଼ା ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବିଂଶତମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କ୍ରୀଡ଼ା ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରୀଛାତ୍ର ଉଭୟ ମହିଳା ଓ ପୁରୁଷ ବର୍ଗର ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ହାଇ ଜମ୍ପ, ଲଙ୍ଗ ଜମ୍ପ, ଦୌଡ଼, ସଟ୍ ଫୁଟ୍, ଡିସ୍କସ୍ ଥ୍ରୋ ଆଦି ଆଉଟ୍ ଡୋର୍ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କୃତି ଖେଳାଳିମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା କ୍ରୀଡ଼ା ପରିଷଦର ସଭାପତି ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଯୋଗଦେଇ ସାମାଜିକ ଜୀବନରେ ଶିକ୍ଷା ପରି କ୍ରୀଡ଼ା ମଧ୍ୟ ଜୀବନ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉଚ୍ଚକୋଟୀର କ୍ରୀଡ଼ା କୌଶଳ ପ୍ରଦର୍ଶନ କ୍ରୀଡ଼ା ପ୍ରତି ଚରମ ନିଷ୍ଠା ଓ ନିରନ୍ତର ଅଭ୍ୟାସ ଉପରେ ନିର୍ଭର କରେ । କ୍ରୀଡ଼ା ଖେଳାଳୀଙ୍କୁ ସାମାଜିକ ପ୍ରତିଷ୍ଠା କେବଳ ଦିଏ ନାହିଁ ଜଣେ ଭଲ ମଣିଷ ଓ ଉତ୍ତମ ନାଗରିକ ହେବାର ସୁଯୋଗ ମଧ୍ୟ ଯୋଗାଇଥାଏ ବୋଲି କହିଥିଲେ । ଉପ-ସଭାପତି ଡ. ସଚ୍ଚିଦାନନ୍ଦ ଶା, ଡ. ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ ଯୋଗଦେଇ ଫକୀର ମୋହନ ବିଶ୍ୱବିଦ୍ୟାଳୟ କ୍ରୀଡ଼ା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ନୂତନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବାର ପ୍ରୟାସ କରିଆସିଛି ଓ ଅନେକ କ୍ଷେତ୍ରରେ ସଫଳ ହୋଇପାରିଛି । ବିଶ୍ୱବିଦ୍ୟାଳୟସ୍ତରରେ ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଛାତ୍ରୀଛାତ୍ରଙ୍କ କ୍ରୀଡ଼ା କ୍ଷେତ୍ରରେ ଏକ ମାନଦଣ୍ଡ ରୂପେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
