ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟକୁ ଅପ୍ରାପ୍ତ ବୟସ୍କ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ପଢୁଥିବା ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ପରିସର ମଧ୍ୟକୁ ବାଇକ୍ ଓ ସ୍କୁଟି ଆଣିବା ଏବଂ ଚଳାଇବାକୁ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ବନ୍ଦ କରିଛନ୍ତି । ଏହି କଟକଣା ଭାରତ ସରକାରଙ୍କ ୧୯୮୮ ମସିହା ଯାନ ବାହନ ଚଳାଚଳ ଆଇନର ଉପବିଭାଗ ୪ ଅନୁଯାୟୀ କାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ମହାବିଦ୍ୟାଳୟ ପରିସର ମଧ୍ୟରେ ଶୈକ୍ଷିକ ବାତାବରଣରେ ପ୍ରଗତି ଆସିବା ସହିତ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଅଧିକ ମନୋନିବେଶ କରି ପାରିବେ ।
ଆଗରୁ ଅଧ୍ୟାପକଅଧ୍ୟାପିକାମାନେ ଶ୍ରେଣୀ ଗୃହରେ ଅଧ୍ୟାପନା କରିବା ସମୟରେ ଛାତ୍ରଛାତ୍ରୀମାନେ କର୍ଣ୍ଣ ରୁଦ୍ଧ କଲା ଭଳି ହର୍ଣ୍ଣ ବଜାଇ ଗାଡ଼ି ଚଳାଇ ଯେଉଁ ବିଶୁଙ୍ଖଳା ସୃଷ୍ଟି କରୁଥିଲେ ସେଥିରେ ରୋକ୍ ଲାଗିବା ସହିତ ମହାବିଦ୍ୟାଳୟ ପରିସର ମଧ୍ୟରେ ମିଛରେ ବାହାସ୍ପୋଟ ମାରୁଥିବା ଅମନଯୋଗୀ ଛାତ୍ରଙ୍କର କମେଣ୍ଟରୁ ଛାତ୍ରୀମାନେ ମଧ୍ୟ ମୁକ୍ତ ହୋଇ ପାରିବେ ବୋଲି ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ପ୍ରକାଶ କରିଛନ୍ତି । ଏହି ନିର୍ଦ୍ଦେଶନାମାକୁ ବାସ୍ତବ ରୂପ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ରଣା ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନୋଟିସ୍ ଦେଇଛନ୍ତି । ଏଥିପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଏକ ୨୦ ଜଣିଆ ସ୍କ୍ୱାର୍ଡ଼ ଗଠନ କରାଯାଇଛି । ସ୍କ୍ୱାର୍ଡ଼ ସଦସ୍ୟ ମାନେ ଯାଞ୍ଚ ସମୟରେ ଯଦି ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନଙ୍କ ଲାଏସେନ୍ସ ନଥାଇ ମହାବିଦ୍ୟାଳୟ ପରିସର ମଧ୍ୟରେ ସ୍କୁଟି ଏବଂ ବାଇକ୍ ଆଣି ଚଳାଇବା ଧରା ପଡ଼େ ତେବେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବା ସହିତ ସେମାନଙ୍କ ଅଭିଭାବକଙ୍କୁ ଡକାଯିବ । ଛାତ୍ରଛାତ୍ରୀମାନଙ୍କ ଠାରୁ ଆଉ ପୁନଃର୍ବାର ମହାବିଦ୍ୟାଳୟ ପରିସର ମଧ୍ୟକୁ ଗାଡ଼ି ନ ଆଣିବା ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ଗାଡ଼ି ଦିଆଯିବ ବୋଲି ମହାବିଦ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।
