ପରୀକ୍ଷାରେ ପାସ୍ ଓ ଖାତାରେ ମାର୍କ ବଢ଼ାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଲୁଟ୍, ନକଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ କର୍ମଚାରୀ ଗିରଫ
ବାଲେଶ୍ୱର : ପରୀକ୍ଷା ଖାତାରେ ମାର୍କ ବଢ଼ାଇଦେବା ଓ ପାସ୍ କରିଦେବାର ପ୍ରତିଶ୍ରୁତି ଦେଇ ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏପରିକି ଯେଉଁ ମାନେ ତାଙ୍କ ସହ ଡିଲ୍ କରୁଥିଲେ ସେମାନେ ଯଦି ପୁରା ଟଙ୍କା ନ ଦେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖରାପ କରିଦେବାକୁ ମଧ୍ୟ ଧମକ ଦେଉଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ କର୍ମଚାରୀ ଭାବେ ମଧ୍ୟ ପରିଚୟ ଦେଉଥିଲା । ଏପରି ଜଣେ ଦଲାଲଙ୍କୁ ଗିରଫ କରିଛି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ । ଗିରଫ ଦଲାଲ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଖାନ୍ନଗର ଅଞ୍ଚଳର ପ୍ରଦୀପ ଦାସ । ସେ ବୃତ୍ତିରେ ଜଣେ ଓକିଲ । ଏନେଇ ରବିବାର ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ବିଭିନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରାଇ ଦେବା ସହ ଅଧିକ ମାର୍କ ଦେବାକକୁ କହି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ସମେତ ବିଭିନ୍ନ ଜିଲାର ୩୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ପ୍ରଦୀପ । ଏଥିପାଇଁ କାହା ପାଖରୁ ୧୦୦୦ ତ କାହା ପାଖରୁ ୫୦୦୦, ଏମିତିକି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିଲା । ଘଟଣାକ୍ରମରେ ପ୍ରଦୀପ କେତେକ ଯୁକ୍ତ୨ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବାଲେଶ୍ୱର ପୋଲିସ ଲାଇନ୍ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟକୁ ଡାକିଥିଲା । ତେବେ କୌଣସି ସୂତ୍ରରୁ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରଦୀପ ଜଣେ ଦଲାଲ ବୋଲି ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ôଚ ପ୍ରଦୀପକୁ ଧରି ଥାନାକୁ ଆଣିଥିଲେ । ପଚରାଉଚରା ପରେ ଦଲାଲଜଣକ ବିଭିନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି । ଏପରିକି ଛାତ୍ରଛାତ୍ରଙ୍କୁ ଏଭଳି ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍ କରି ଅୟେସ କରୁଥିଲା । ଦାମୀ ଘଣ୍ଟା, ସୁନା ଚେନ୍, ସୁନା ବ୍ରେସଲେଟ୍, ଦାମୀ କାର ବ୍ୟବହାର କରୁଥିଲା । ପୋଲିସ ତାଠାରୁ ନଗଦ ୫୭ ହଜାର ଟଙ୍କା, ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଏକ ଦାମୀ କାର୍ ସହ ବ୍ୟାଙ୍କ ଏଟିଏମ୍କୁ ଜବତ କରାଯାଇଛି । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରହିଛି ।
