ତାଇଓ୍ଵାନ୍ ବିବାଦର ସମାଧାନ ପାଇଁ ବାହ୍ୟ ହସ୍ତକ୍ଷେପ ଅନାବଶ୍ୟକ : ଚୀନ୍
ନୂଆଦିଲ୍ଲୀ : ଚୀନ୍ ସହ ତାଇଓ୍ଵାନ୍ର ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆଜି ଏନେଇ ମନ୍ତବ୍ୟ ଦେଇଛନ୍ତି । କ୍ରମାଗତ ୪ ଦିନ ଧରି ଚୀନ୍ ତାଇଓ୍ଵାନ୍ର ‘ଏୟାର୍ ଡିଫେନ୍ସ୍ ଜୋନ୍’କୁ ରେକର୍ଡ ସଂଖ୍ୟକ ଲଢୁଆ ବିମାନ ପଠାଇବା ପରେ ସେ କହିଛନ୍ତି କି, ଖୁବଶୀଘ୍ର ଚୀନ୍ ସହ ତାଇଓ୍ଵାନ୍ର ପୁନଃମିଶ୍ରଣ ହୋଇଯିବ । ସେହିପରି ତାଇଓ୍ଵାନ୍ ସମସ୍ୟା ସମାଧାନ ହୋଇଯିବ। ଏଥିପାଇଁ କୌଣସି ବାହ୍ୟ ହସ୍ତକ୍ଷେପ ଅନାବଶ୍ୟକ ରହିଥିବାର ମନ୍ତବ୍ୟ ଦେଇଛନ୍ତି।
ତାଇଓ୍ଵାନ୍ ନିଜକୁ ସାର୍ବଭୌମ ରାଷ୍ଟ୍ର ବୋଲି ବିଚାର କରୁଥିବା ବେଳେ ଚୀନ୍ କହୁଛି ସେ ସ୍ୱଂୟ-ଶାସିତ ଦ୍ୱୀପ (ତାଇଓ୍ଵାନ୍) ଚୀନ୍ରୁ ପୃଥକ୍ ହୋଇଯାଇଥିବା ପ୍ରଦେଶ। ତାଇଓ୍ଵାନ୍କୁ ଚୀନ୍ ସହ ମିଶାଇବା ପାଇଁ ସମ୍ଭାବ୍ୟ ବଳ ପ୍ରୟୋଗ କଥାକୁ ମଧ୍ୟ ବେଜିଙ୍ଗ୍ ଏଡ଼ାଇ ଦେଇ ନାହିଁ। ଦେଶର ଶେଷ ରାଜବଂଶକୁ ହଟାଇବା ପାଇଁ ହୋଇଥିବା ବିପ୍ଳବର ୧୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବେଜିଙ୍ଗ୍ସ୍ଥିତ ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍’ରେ ଉଦ୍ବୋଧନ ଦେଇ ସି’ କହିଲେ, ଚୀନ୍ର ପୁନଃସମିଶ୍ରଣର ସବୁଠୁ ବଡ଼ ପ୍ରତିବନ୍ଧକ ଥିଲା ‘ତାଇଓ୍ଵାନ୍ ଇଣ୍ଡିପେଣ୍ଡାନ୍ସ୍ ଫୋର୍ସ’। ଚୀନା ରାଷ୍ଟ୍ରରେ ଦୁର୍ବଳତା ଏବଂ ଗୋଳମାଳିଆ ପରିସ୍ଥିତି ଉଦ୍ରେକ ହେବାରୁ ତାଇଓ୍ଵାନ୍ ବିବାଦ ସୃଷ୍ଟି ହୋଇଛି। ଚୀନ୍ର ପୁନଃସାମର୍ଥ୍ୟ ହାସଲ କଲେ ସେ ବିବାଦର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ମାଓ ଜେଙ୍ଗଡ଼ୋଙ୍କ ନେତୃତ୍ୱାଧୀନ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଚୀନା’ ସହ ଗୃହଯୁଦ୍ଧ କରି ୧୯୪୯ରେ ‘ପିପୁଲ୍ସ୍ ରିପବ୍ଲିକ୍ ଅଫ୍ ଚୀନା’ରୁ ପୃଥକ୍ ହୋଇଯାଇଥିଲା।
