ଭାରତରେ ପହଞ୍ଚିଲେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ, ଭବ୍ୟ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ୩ ଦିନିଆ ଭାରତଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟ ଫ୍ରେଡ୍ରକ୍ସିନ୍ । ପ୍ରଥମ କରି ଭାରତ ଗସ୍ତରେ ଆସିଥିବା ଫ୍ରେଡ୍ରକ୍ସିନ୍ଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି ପାଛୋଟି ଆଣିଥିଲେ। ଏହାପରେ ଡେନିସ୍ ପ୍ରଧାନମନ୍ତ୍ରୀ ଫ୍ରେଡ୍ରକ୍ସିନ୍ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସେହିପରି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନ୍ମାର୍କର ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି।
ଏହି ଗସ୍ତ ସମୟରେ ଫ୍ରେଡ୍ରକ୍ସିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାବ୍ୟତିରେକେ, ସେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ସିଭିଲ୍ ସୋସାଇଟିର ସଦସ୍ୟମାନଙ୍କ ସହ ମଧ୍ୟ ଆଳାପଆଲୋଚନା କରିବେ। ଭାରତ ଓ ଡେନ୍ମାର୍କର ବାଣିଜ୍ୟ ଓ ବିନିଯୋଗ ସମ୍ବନ୍ଧ ଅତି ନିବିଡ଼। ଭାରତରେ ୨୦୦ରୁ ଅଧିକ ଡେନିସ୍ କମ୍ପାନି ରହିଥିବା ବେଳେ ଡେନ୍ମାର୍କରେ ୬୦ରୁ ଅଧିକ ଭାରତୀୟ କମ୍ପାନି ରହିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ଅକ୍ଷୟ ଶକ୍ତି, କ୍ଲିନ୍ ଟେକ୍ନୋଲୋଜି, ଜଳ ଓ ଆବର୍ଜନା ପରିଚାଳନା, କୃଷି ଏବଂ ପଶୁପାଳନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ‘ଆଇସିଟି’, ସ୍ମାର୍ଟ ସିଟି ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ନିବିଡ଼ ସହଯୋଗ ରହିଛି।
