ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ : ଭୁଶୁଡି ପଡ଼ିଲା ୫ ମହଲା କୋଠା, ଘଣ୍ଟାଏ ପରେ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର
ନୂଆଦିଲ୍ଲୀ : ସାରା ଦୁନିଆରେ ଯାହା ଘଟିଥାଏ ତାହା ଭଗବାନଙ୍କ ଇଚ୍ଛାରେ ହୋଇଥାଏ। ଏହି ଉକ୍ତିରେ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ୫ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡ଼ି ପଡ଼ିଥିବା ଭଙ୍ଗା ଇଟା ପଥର ତଳୁ ୬ ବର୍ଷର ଝିଅଟିକୁ ଜୀବନ୍ତ ଉଦ୍ଧାର ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଲୋକମାନେ ଶିଶୁର ବଞ୍ଚିବାକୁ ନେଇ ଏକ ଚମତ୍କାର ବୋଲି କହୁଛନ୍ତି। ଏହି ଚମତ୍କାରର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଲୋକମାନେ ବିଶ୍ୱାସ କରିପାରୁନାହାଁନ୍ତି ଯେ ଦୀର୍ଘ ଘଣ୍ଟାଏ ସମୟ ଏତେ ବଡ କୋଠାର ଧ୍ୱଂସାବଶେଷ ତଳେ ପୋତି ହୋଇଯିବା ପରେ ମଧ୍ୟ ଝିଅଟି କିପରି ବଞ୍ଚିଲା। ଝିଅଟିକୁ ବାହାରକୁ ଅଣାଯିବା ପରେ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା ।
ସୂଚନା ଯେ, ଜର୍ଜିଆରେ ଗତ ୮ ତାରିଖ ଦିନ ଏକ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଏଥିରେ ଚାରିପାଖର ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା। ଏଥିସହିତ ଏକ ୫ ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ସମୟରେ ବିଲଡିଂରେ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ଧ୍ୱଂସାବଶେଷ ତଳେ ପୋତି ହୋଇଗଲେ। ତଥାପି, ସେମାନଙ୍କ ମଧ୍ୟରୁ କେହି ବଞ୍ଚିବେ ବୋଲି ଲୋକମାନେ ଆଶା କରିନଥିଲେ। ପ୍ରାୟ ୩୦୦ ଲୋକଙ୍କ ଏକ ଟିମ୍ ସମସ୍ତଙ୍କୁ ଖୋଜୁଥିଲେ। କିଛି ଘଣ୍ଟା ପରେ, ସେମାନେ ଧ୍ୱଂସାବଶେଷ ତଳେ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଲେ। ଆଶ୍ଚର୍ଯ୍ୟର କଥା ଧ୍ୱଂସାବଶେଷ ତଳୁ ସେମାନେ ଏହି ଶିଶୁକୁ ଜୀବନ୍ତ ପାଇଲେ। ଏହି ଝିଅଟି ଜୀବିତ ବୋଲି କେହି ବିଶ୍ୱାସ କରିପାରିନଥିଲେ।
