‘ଏକ୍ଜାମ ୱାରିୟର୍ସ ଚିତ୍ରାଙ୍କନ ପ୍ରତିଯୋଗୀତା’ : ଅମ୍ବିକା ପ୍ରଥମ, ପରିତ ଦ୍ୱିତୀୟ ଓ ମନ୍ମୟ ତୃତୀୟ
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ପବ୍ଲିକ ସରକାରୀ ହାଇସ୍କୁଲ ପରିସରରେ ସୋମବାର ‘ଏକ୍ଜାମ ୱାରିୟର୍ସ ଚିତ୍ରାଙ୍କନ ପ୍ରତିଯୋଗୀତା’ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ସଂସଦୀୟ କ୍ଷେତ୍ରରୁ ୧୫୫ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ରେମୁଣା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅମ୍ବିକା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲର ଛାତ୍ର ପରିତ କୁମାର ଗିରି, ତୃତୀୟ ସ୍ଥାନରେ ଏମପିସି ବାରିପଦା କଲେଜ ଛାତ୍ର ମନ୍ମୟ ସେଠୀ ବିବେଚିତ ହୋଇଛନ୍ତି । ଏଥିସହିତ ଶ୍ରେଷ୍ଠ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ସହିତ ଚମ୍ପା ଫୁଲ ଚାରା ପୁରସ୍କାର ସ୍ୱରୂପ ବଣ୍ଟନ କରାଯାଇଥିଲା ।
ଏମ୍ପି ଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା କର୍ମଶାଳା ଉଦ୍ଘାଟିତ ହେବା ପରେ ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ପରୀକ୍ଷା ପେ ଚର୍ଚ୍ଚା ଚିତ୍ରାଙ୍କନ ପ୍ରତିଯୋଗିତା ସମିତି ମଣ୍ଡଳୀର ମୁଖ୍ୟ ସଂଯୋଜକ ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟ ଓ ଜିଲା ସଂଯୋଜକ ଇଂ ତ୍ରୀଭୁବନ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଥିବାରୁ ଏହାକୁ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଥିଲା । ପରୀକ୍ଷା ପେ ଚର୍ଚ୍ଚା ଚିତ୍ରାଙ୍କନ ପ୍ରତିଯୋଗିତା ସମିତି ମଣ୍ଡଳୀର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ହାଇସ୍କୁଲର ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା ସମିତି, “ମୁଁ ତୁମର ସାଥୀ’ ସ୍ୱେଚ୍ଛାସେବୀ ସଂଗଠନ ସହାୟତା କରିଥିବାରୁ ସମିତି ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା ।
