‘ୟୁଫେଉସ-ଏଜୁକେଟ ଟୁ ଏକ୍ସେଲ’ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହରର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ସେଣ୍ଟ ଭିନସେଣ୍ଟ ସିନିଅର ସେକେଣ୍ଡାରୀ କନଭେଣ୍ଟ ସ୍କୁଲକୁ ଆସନ୍ତା ୨୦୨୪ରେ ୫୦ବର୍ଷ ପୁରୁଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ଶୁଭାରମ୍ଭ ହୋଇଛି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ । ବର୍ଷେ ବ୍ୟାପୀ ଏହି ଉତ୍ସବ ପାଳନ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମଙ୍ଗଳବାର ଉତ୍ସବ ଉଦ୍ଘାଟିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ ସ୍କୁଲର ପତାକା ଉତ୍ତୋଳନ ପୂର୍ବକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ‘ୟୁଫେଉସ-ଏଜୁକେଟ ଟୁ ଏକ୍ସେଲ’କୁ ଉଦ୍ଘାଟନ କରିଥିଲେ । ଏଥିସହିତ ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ ଓ ଉତ୍ସବର କେକ୍ କାଟି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ବାଲେଶ୍ୱର ସହରରେ ଶିକ୍ଷାର ଉନ୍ନତି ପାଇଁ ଡାଇଓସିସ୍ ପକ୍ଷରୁ ୧୯୭୪ ମସିହାରେ ଆରମ୍ଭ ହୋଇଥିବା ମିଶନ୍ ଏଯାବତ ସଫଳତାର ସହ ପରିଚାଳିତ ହୋଇଆସିଥିବାରୁ ବିଦ୍ୟାଳୟ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସ୍କୁଲର ପ୍ରିନସିପାଲ ସିଷ୍ଟର ଦିପ୍ତୀ ସ୍ୱାଗତ ଅଭିଭାଷଣ ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବାଲେଶ୍ୱର ରୋମାନ କାଥୋଲିକ ଡାଇଓସିସ୍ର ମୁଖ୍ୟ ପ୍ରଶାସନ ତଥା ସ୍କୁଲ ପରିଚାଳନା ସମିତିର ଚେୟାରମ୍ୟାନ ଫାଦର ଆଇଜାକ ପୁତନାଙ୍ଗଡ଼ିଙ୍କ ଅଧ୍ୟକ୍ଷତା କରି ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ମଧ୍ୟରେ ଏକ ବର୍ଷ ଧରି ଚାଲିବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥାପିତ ସିଏମ୍ସି ପ୍ରୋଭିନସିଆଲ୍ ସୁପରିଅର ତଥା ସେଣ୍ଟ ଭିନସେଣ୍ଟ ସିନିଅର ସେକେଣ୍ଡାରୀ କନଭେଣ୍ଟ ସ୍କୁଲର ପୂର୍ବତନ ପ୍ରିନିସିପାଲ ସିଷ୍ଟର ପବିତ୍ରା ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଶିକ୍ଷାଦାନକୁ ସମାଜସେବାର ଅଙ୍ଗ ଭାବେ ଗ୍ରହଣ ପୂର୍ବକ ଶୈଶବ ଅବସ୍ଥାରୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ନିର୍ମାଣରେ ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ରୋମାନ କାଥୋଲିକ ଡାଇଓସିସ୍ର ଶିକ୍ଷା ସଚିବ ଫାଦର ସାଜି ଯୋଶେଫ, ଡାଇଓସିସ୍ର ସମ୍ପାଦକ ଫାଦର ଜର୍ଜ, ସ୍କୁଲର ପ୍ରଥମ ପ୍ରିନସିପାଲ ସିଷ୍ଟର ମୋଡେଷ୍ଟା, ପୂର୍ବତନ ପରିଚାଳକ ଫାଦର ଜୋଶ୍ ଆର୍ସେରିଲ୍, ପୂର୍ବତନ ପ୍ରିନସିପାଲ ସିଷ୍ଟର ସେମା ମାରିଆ, ସିଷ୍ଟର ଲିସି ମାଥ୍ୟୁସ୍, ସିଷ୍ଟର ସାଲୋ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀଛାତ୍ରୀ ଓ ଅଭିଭାବକଙ୍କୁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସ୍କୁଲର ଛାତ୍ରୀଛାତ୍ରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
