ଇମାମୀ ନଗରରେ ଶ୍ରୀଜୀଉଙ୍କ ସୁନାବେଶ, ଶ୍ରଦ୍ଧାଳୁଙ୍କ ସମାବେଶ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଲଗୋପାଳ ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗରସ୍ଥ ଶ୍ରୀଜଗନ୍ନାଙ୍କର ଗୁରୁବାର ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ସକାଳ ୮ଟା ୩୦ମିନିଟ୍ ସମୟରେ ଶ୍ରୀଜୀଉମାନେ ସୁସଜ୍ଜିତ ସୁନାବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଇଥଲେ । ଅନୁରୂପ ଭାବେ ପବିତ୍ର ବାହୁଡ଼ା ଏକାଦଶୀରେ ମନ୍ଦିର ମଧ୍ୟରେ ଶ୍ରୀ ଗଣେଶଜୀ ମହାରାଜା, ଶ୍ରୀ ହନୁମାନଜୀ ମହାରାଜା, ମା’ ଗଜଲକ୍ଷ୍ମୀ, ଶ୍ରୀ କାଶୀବିଶ୍ୱନାଥ ମହାରାଜ ଓ ମାତା ବିମଳା ମଧ୍ୟ ସ୍ୱତନ୍ତ୍ର ଭାବରେ ସ୍ୱର୍ଣ୍ଣାଳଙ୍କାରରେ ସୁସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବାବେଳେ ମନ୍ଦିରବେଢ଼ାରେ ହଜାର ହଜାର ଭକ୍ତଙ୍କ ସମାଗମରେ ବେଶ୍ ଉତ୍ସବମୁଖର ହୋଇ ଉଠିଥିବା ଜଣାପଡ଼ିଛି ।
କାର୍ଯ୍ୟକ୍ରମରେ ମୁଖ୍ୟପୂଜକ ପ୍ରଦୀପ କୁମାର ମିଶ୍ର ତଥା ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଲ ରଞ୍ଜନ ଦାସସାମନ୍ତରାୟ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିବା ବେଳେ ମନ୍ଦିରବେଢ଼ାରେ ଆଲୋକ ସଜ୍ଜା ଓ ପୁଷ୍ପ ସଜ୍ଜା ଭକ୍ତମାନଙ୍କ ମନରେ ବେଶ୍ ଭାବବିହ୍ୱଳ ଆବେଗପୂର୍ଣ୍ଣ ଜଗନ୍ନାଥମୟ ଉଦ୍ଦୀପନା ସୃଷ୍ଟି ହୋଇଥିଲା । ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ତଥା ଇମାମୀ ନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋଧା ସୁଶୀଲ କୁମାର ଗୋୟେଙ୍କା ତଥା ସ୍ଥାନୀୟ କାଗଜକଳର ସଭାପତି, ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ଇମାମୀ କାଗଜକଳର ବହୁ ପଦାଧିକାରୀ, କର୍ମକର୍ତ୍ତା ତଥା ଇମାମୀ କଲୋନୀସ୍ଥିତ ଲେଡିଜ୍ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରଥଯାତ୍ରା ଓ ବାହୁଡ଼ା ଉତ୍ସବ ସୂଚାରୁ ରୂପେ ସମାପନ ହୋଇଥିବାରୁ ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ପୋଲିସ୍ ପ୍ରଶାସନ, ସ୍ୱାସ୍ଥ୍ୟ ଅଧିକାରୀ, ଅଗ୍ନସେବା ସଂସ୍ଥା, ସତ୍ୟସାଇ ସେବା ସଂଗଠନ, ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ତଥା ବିଭିନ୍ନ ସଂଗଠନ ତରଫରୁ ସହଯୋଗ କରିଥିବା ଜଗନ୍ନାଥପ୍ରେମୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ଏକ ପ୍ରେସ୍ ବିବୃତିରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
