ବାଲେଶ୍ୱରରେ ତ୍ୟାଗ ଓ ବଳିଦାନର ପର୍ବ ପବିତ୍ର ଇଦ-ଉଲ-ଜୁହା ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ସମେତ ଜିଲାରେ ଶ୍ରଦ୍ଧାର ସହ ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ଶୁକ୍ରବାର ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ସହରର ଇସଲାମ ଧର୍ମାବଲମ୍ବୀ ସମ୍ପ୍ରଦାୟର ଲୋକେ ସକାଳେ ବିଭିନ୍ନ ମସଜିଦ୍ରେ ନମାଜ ପାଠ କରିଥିବା ବେଳେ ଅନୁରୂପ ଭାବେ ଦରଘା ମଇଦାନରେ ସାମୂହିକ ନମାଜ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ ସହିତ ସମସ୍ତେ ଇଦ୍ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ପରେ ନିଜ ନିଜର ପୂର୍ବପୁରୁଷଙ୍କ ସମାଧି ସ୍ଥଳରେ ପୂଜାପାଠ କରିଥିଲେ ।
କୋରାନ୍ରେ ହୋଇଥିବା ବର୍ଣ୍ଣନା ଅନୁସାରେ ଆଲ୍ଲାଙ୍କ ସ୍ୱପ୍ନାଦେଶରେ ମହାପୁରୁଷ ଇବ୍ରାହିମ୍ ନିଜର ଅତିପ୍ରିୟ ପୁତ୍ର ଇସମାଇଲଙ୍କୁ ବଳି ଦେବାକୁ ରାଜି ହୋଇ ଯାଇଥିଲେ । ସେହି କ୍ରମରେ ସେ ଏକ ଖୋଲା ପଡ଼ିଆରେ ତାଙ୍କୁ ବଳି ଦେବା ସମୟରେ ଚମତ୍କାର ଘଟଣା ଘଟିଥିଲା । ପୁତ୍ର ଇସମାଇଲ ପରିବର୍ତ୍ତେ ସେଠାରେ ଏକ ଛେଳିକୁ ବଧ କରାଯାଇଥିବା ଇବ୍ରାହିମ ଦେଖିବାକୁ ପାଇଥିଲେ । ସ୍ୱୟଂ ଆଲ୍ଲାଙ୍କ ନିର୍ଦ୍ଦେଶରେ କ୍ଷଣିକରେ ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା । ଇବ୍ରାହିମ୍ କିଛି ବୁଝିପାରୁ ନ ଥିବା ବେଳେ ପୁତ୍ର ଇସମାଇଲ ସେଠାରେ ସେମିତି ଛିଡ଼ା ହୋଇ ହସୁଥିଲେ । ଆଲ୍ଲାଙ୍କ ମହିମାରେ ସବୁକିଛି ସମ୍ଭବ ହୋଇପାରିଥିଲା । ଏହାକୁ ସ୍ମରଣୀୟ ରଖିବା ପାଇଁ ପ୍ରତ୍ୟେକ ଇସଲାମ ଧର୍ମାବଲମ୍ବୀ ଆଜି ଇଦ୍-ଉଲ-ଜୁହା ପାଳନ କରିଥାଆନ୍ତି ବୋଲି ଇସଲାମ ଧର୍ମଗୁରୁ କହିଥିଲେ । ପରସ୍ପର ମଧ୍ୟରେ ଭେଦଭାବ ଭୁଲି ସାଧ୍ୟମତେ ଦାନ କରିବାର ପ୍ରଥା ଏହି ପର୍ବର ବଡ଼ ନିୟମ ଅଟେ । ଏହି ଦିନରେ ସମସ୍ତଙ୍କ ଘରେ ସୁସ୍ୱାଦୁ ଖାଦ୍ୟର ସମ୍ଭାର ଆୟୋଜନ ହୋଇଥାଏ । ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଆମନ୍ତ୍ରଣ ସହ ସେମାନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରାଯାଇଥାଏ ।
