୧୬ନମ୍ବର ଜାତୀୟ ରାଜପଥରେ ଦନ୍ତାହାତୀ : ଲୋକେ ଛାନିଆ, ଯାତାୟତ ଠପ୍
ଖୋର୍ଦ୍ଧା : ଜାତୀୟ ରାଜପଥରେ ବୁଲୁଛି ଦନ୍ତା । ଲୋକେ ଛାନିଆ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ହରିପୁର ଛକ ୧୬ ନଂ ଜାତୀୟ ରାଜପଥ ଉପରେ ଗୋଟିଏ ଦନ୍ତାହାତୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।
ଆଜି ସନ୍ଧ୍ୟା ବେଳେ ନିକଟସ୍ଥ ଜରିପୁଟ ପଟିଆ ଜଂଗଲରୁ କୌଣସି କାରଣରୁ ବାଟ ଭୁଲି ଏକ ଦନ୍ତାହାତୀ ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ବାଇପାସ୍ ରାସ୍ତା ଉପରକୁ ଉଠି ଆସିଥିଲା। ୧୬ ନମ୍ବର ଜାତୀୟ ରାଜପଥ ଅପର ପାର୍ଶ୍ୱରେ ରହିଥିବା ହରିପୁର, କୟଥପଲା ସମେତ ଆଖପାଖ ବିଭିନ୍ନ ଗ୍ରାମକୁ ପଶିଯିବା ସମ୍ଭାବନା ରହିଥିଲା। ଖବର ପାଇ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫରେଷ୍ଟର ଗୋଲାପ ସେଠୀ ସଦଳବଳ କୌଶଳରେ ବାଟଭୁଲା ଦନ୍ତାହାତୀଟିକୁ ପୁନର୍ବାର ଆସିଥିବ ବାଟକୁ ସଫଳ ଭାବେ ବାହୁଡା଼ଇ ଦେଇଥିଲେ। ଏହି ଘଟଣାରେ ଦନ୍ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ଦନ୍ତାହାତୀ ଭୟରେ ୧୬ ନମ୍ବର ଏନ୍ ଏଚ୍ ଉଭୟ ପାର୍ଶ୍ୱରେ ଯାନବାହାନ କିଛି ସମୟ ଅଟକି ରହିଥିଲା। କିନ୍ତୁ ପରେ ଦନ୍ତା ଜଂଗଲ ଭିତରକୁ ଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।
