ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ୍ ଟାଙ୍କି ଫାଟିବା ଘଟଣା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ଏଯାବତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ବୁଦ୍ଧିରାମ ବାରିକ ଓ ପ୍ରସନ୍ନ ବରାଳ। ଉଭୟ ବୁଦ୍ଧିରାମ ବାରିକ ଓ ପ୍ରସନ୍ନ ବରାଳ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ। ଏହା ପୂର୍ବରୁ ଗତ ୨୦ ତାରିଖରେ କାଳୁଚରଣ ପଣ୍ଡା ଓ ପ୍ରମୋଦ ବରାଳଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବି ଏମ୍ସରେ ଚିକିତ୍ସାଧୀନ ଥିଲେ। ସେହିପରି ଉକ୍ତ ଘଟଣାରେ ଆହତ ହୋଇଥିବା ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ମଧ୍ୟ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତ ହୋଇଥିବା ଜଣେ ମହିଳା ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।
ସୂଚନା ଯେ, ଗତ ୧୯ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ସାହୁଙ୍କ ଘରେ କୌଣସି କାରଣରୁ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ପାଖ ପଡ଼ୋଶୀରୁ କିଛି ଲୋକ ଆସି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ସେହି ସମୟରେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ୭ ଜଣ ପୋଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ରବୀନ୍ଦ୍ର ସାହୁଙ୍କ ପରିବାରର ଜଣେ ଥିବା ବେଳେ ଅନ୍ୟ ସମସ୍ତେ ପଡ଼ୋଶୀ ଥିଲେ।
