ଆଗୁଆ ନିର୍ବାଚନ ରାଜନୀତି – ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି : ସୁଶାନ୍ତ ସିଂ- ନବୀନ ଆଗୁଆ ନିର୍ବାଚନ କରିବେ : ଜୟନାରାୟଣ ମିଶ୍ର
ଭୁବନେଶ୍ୱର : ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି । ହିମାଚଳ ପ୍ରଦେଶ ହାରିବା ପରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛି ବିଜେପି । ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ଏଠି ମୁଖ୍ୟମନ୍ତ୍ରୀ ଚିନ୍ତା କରିବ । ଜନସାଧାରଣ ବିଜେଡିକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ଆଗୁଆ ନିର୍ବାଚନ ନେଇ ବିଜେଡି କିଛି ଚିନ୍ତା କରୁନାହିଁ । କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । ଅପରପକ୍ଷରେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ସମର୍ଥନ କରି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ନିର୍ବାଚନ ଆଗୁଆ କରିବେ । ସେହିପରି ଆଗୁଆ ନିର୍ବାଚନର କାରଣ ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି ବିଜେପି ବଢ଼ୁଛି, ତାଙ୍କ ଦଳ ଭିତରେ ଲୋକ ସମର୍ଥନ କମି କମି ଯାଉଛି । ଏହାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନ କରି ପୁଣି ୫ ବର୍ଷ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ-ବିଜେଡି ଡିଲ ପ୍ରସଙ୍ଗରେ ସୁଶାନ୍ତ ସିଂ କହିଛନ୍ତି, ଆମେ କାହା ସହିତ ଡିଲ କରିନୁ । ୨୦୧୪ରେ ସେମାନେ ସତ୍ୟ ଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରି ଜିତିଥିଲେ । ବର୍ତମାନ ବି ପଦ୍ମପୁରରେ ବିଜେପି ଯେଉଁ ଭୋଟ ପାଇଛି, ସେଥିରେ ବି କଂଗ୍ରେସ ଭୋଟ ରହିଛି । ଧାମନଗରରେ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ବିଜେପି ସେଠି ବି ତାଙ୍କ ସହିତ ଡିଲ କରିଥିଲା । ଡିଲରେ ବିଜେଡି ବିଶ୍ୱାସ କରେନି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅଛି । ଡିଲ୍ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେଡି ଓ ବିଜେପି ମଧ୍ୟରେ ଡିଲ୍ ହୋଇଛି । ଧାମନଗର ତମେ ନିଅ ଆମେ ପଦ୍ମପୁର ନେବୁ ବୋଲି ଉଭୟ ଦଳ ଡିଲ୍ କରିଥିଲେ । ବର୍ତମାନ ରେଳମନ୍ତ୍ରୀଙ୍କୁ ଜିତାଇବାପାଇଁ କିଏ ଡିଲ୍ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
