ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିବା ବେଳେ ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ନାହିଁ । ଅରୁଣାଚଳର ଚାଙ୍ଗଲାଙ୍ଗରେ ଗତ ଗୁରୁବାର ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।
ଭୂବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁସାରେ, ବିଳମ୍ବିତ ରାତିରେ ରାଜସ୍ଥାନରେ ଭୂକମ୍ପ ହୋଇଥିଲା । ରାତି ୨ଟା ୧୬ ମିନିଟରେ ଏହି ଭୂକମ୍ପ ହୋଇଥିଲା । ରାଜସ୍ଥାନ ବିକାନେରର ପଶ୍ଚିମରୁ ୫୧୬ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଏହାସହ ଅକ୍ଷାଂଶ ୨୮.୪୦ ରହିଥିବା ବେଳେ ଦ୍ରାଘିମା ୬୮.୦୬ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଗଭୀରତା ୮ କିମି ରହିଥିଲା । ଭୂକମ୍ପରେ ଘର ଦୋହଲି ଥିଲା । ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଗତ ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିଲା । ରାତି ୧ଟା ୪୫ ମିନିଟ ସମୟରେ ମୃଦୁ ଭୂକମ୍ପରେ ଥରିଥିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପର ଅକ୍ଷାଂଶ ୨୭.୪୮ ଏବଂ ଦ୍ରାଘିମା ୯୬.୧୫ ରହିଥିବା ବେଳେ ଗଭୀରତା ୭୬ କିମି ରେକର୍ଡ କରାଯାଇଛି ।
