ବିଷକ୍ରିୟାରୁ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ଉଦ୍ଧାର ପରେ ଏହି ସମ୍ବେଦନଶୀଳ ଘଟଣା ସମଗ୍ର ରାଜ୍ୟରେ ଚଂଚଲ୍ୟ ଖେଳାଇ ଦେଇଛି । ମୃତଦେହ ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଛି । କେନ୍ଦୁଝର ମେଡିକାଲ କଲେଜର ଦୁଇ ଜଣ ଡାକ୍ତର ମୃତଦେହ ବ୍ୟବଛେଦ କରିଛନ୍ତି କ୍ଷ ଆଜି ଡାକ୍ତର ଏହାର ରିପୋର୍ଟ ପ୍ରଦାନ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିଶୋର କୁମାର ପୃଷ୍ଟି ସୂଚନା ଦେଇଛନ୍ତି । ତେବେ ପ୍ରାଥମିକ ରିପୋର୍ଟ ଅନୁସାରେ ବିଷ ଜନିତ କାରଣରୁ ଡାକ୍ତରାଣୀଙ୍କ ମୃତ୍ୟୁ ଘଟିଥିବା ଶ୍ରୀ ପୃଷ୍ଟି କହିଛନ୍ତି । ମୃତ ଶରୀରରୁ କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ସେ କହିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ସ୍ଥାନୀୟ କର୍ମଚାରୀ ଓ ପଡୋଶୀମାନଙ୍କ ଠାରୁ ବୟାନ ସଂଗ୍ରହ କରାଯାଉଛି । ସେପଟେ ପୋଲିସ୍ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କର ମୋବାଇଲ ଫୋନ, ମେଡିସିନ୍ ବୋତଲ ସହିତ କିଛି କାଗଜପତ୍ର ଜବତ କରି ଅନୁସନ୍ଧାନ ଜାରି ରଖିଛି । ଶୁଭଶ୍ରୀଙ୍କ ମୋବାଇଲ କଲ ଡିଟେଲ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରକୁ ନେଇ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଭଳି ମୃତ୍ୟୁ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନଥିବା ସମୟରେ ସନ୍ଧ୍ୟା ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତ ୩୧ ତାରିଖ ରାତିରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ସମେତ ୭ ଜଣ ଏକାଠି ମିଶି ଜିରୋ ନାଇଟ ସେଲିବ୍ରସନ୍ କରିଥିଲେ । ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଏଥିପାଇଁ ଶୁଭଶ୍ରୀ ନିଜେ ସବୁ ଆୟୋଜନ କରିଥିଲେ । ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ୍ ତିଆରି କରିଥିଲେ । କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢଟା ପର୍ଯ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ଚାଲିଯାଇଥିଲେ । ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ଟା ବେଳେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରିବାକୁ ଆସୁଥିବା ମହିଳା କବାଟ ବାଡେଇବାରୁ ସେ ଖୋଲି ନଥିଲେ । ଏହାପରେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଦୁବରାଜ ମହାନ୍ତ ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ । ଫଳରେ ପୋଲିସକୁ ଖବର ଦିଆଯାଇଥିଲା । ଶେଷରେ ସନ୍ଧ୍ୟାରେ ପୋଲିସ କବାଟ ତାଡି ମୃତଦେହ ଉଦ୍ଧାର କରିଥିଲା । ଗତ ୨୦ ତାରିଖରେ ଶୁଭଶ୍ରୀ ଜନୈକ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ । ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ରୁଗୁଡ଼ି ଠାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଡାକ୍ତର ଦିବ୍ୟରଞ୍ଜନ ମାଝୀ ତାଙ୍କ ସହିତ ଗତ ୬ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦୁଇଥର ସେକ୍ସୁଆଲ ରିଲେସନ ରଖିଥିଲେ । ତେବେ ସେ ପରେ ବିବାହ ପାଇଁ ମନା କରିଦେଇଥିଲେ । ଯାହା ଫଳରେ ଏନେଇ ସେ ଯୋଡ଼ା ଥାନାରେ ଏଫଆଇଆର ଦେଇଥିଲେ ।
