ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଲିଙ୍ଗଗତ ଅସମାନତା ନରଖି ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ
ବାରିପଦା : ଆଜି ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମଗ୍ର ଶିକ୍ଷାଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୟୁରଭଂଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଦଘାଟନ କରି କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ମଧ୍ୟରେ ଲିଙ୍ଗ ଗତ ଅସମାନତା ପ୍ରଦର୍ଶନ ବା କୌଣସି ଭେଦଭାବ ନରଖି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ଗର୍ଭାବସ୍ଥାରେ ଲିଙ୍ଗ ନିରୂପଣ କରି କନ୍ୟା ଭୃଣହତ୍ୟା ଭଳି କୁତ୍ସିତ ମାନସିକତା ଠାରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, କୁସୁମମାଳା ମିଶ୍ର, ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ଘଡେଇ, ଏଚ.ଆର.ପି.ସି. ର ଡି.ଏସ.ପି. ସବିତା ମାଝୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇ ଜାତୀୟ କନ୍ୟା ସନ୍ତାନ ଦିବସର ଆଭିମୁଖ୍ୟ, ବାଲ୍ୟ ବିବାହ ବିରୁଦ୍ଧରେ ବ୍ୟାପକ ସଚେତନତା ତଥା କନ୍ୟା ସନ୍ତାନ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଏହାର ବିଭିନ୍ନ ଆଇନ ଗତ ଦିଗ ଉପରେ ଆଲୋକ ପାତ କରିଥିଲେ । ସେହିପରି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଯୋଗ ଦେଇଥବା ବେଳେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓରମାସର ଡେପୁଟି ସିଇଓ ବିମାନ ମାଲ, ଡେପୁଟି କଲେକଟର ପ୍ରମିଳା ମଲ୍ଲିକ, ଏ.ଡି.ଇ.ଓ. ଦୀପ୍ତି ନାୟକ ପ୍ରମୁଖ ଯୋଗ ଦେଇ କନ୍ୟା ସନ୍ତାନ ଦିବସ ପାଳନ ପରିପ୍ରେକ୍ଷୀରେ ସେମାନଙ୍କ ପ୍ରେରଣା ଦାୟୀ ସୁଚିନ୍ତିତ ମତାମତ ରଖିଥଲେ । ଏହି ଅବସରରେ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ସୁରକ୍ଷା ଅଧିକାରୀ ଅମର କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ ।
